Categories: ଜାତୀୟ

କର୍ନାଲରେ କୃଷକଙ୍କ ଶକ୍ତି ପ୍ରଦର୍ଶନ

କର୍ନାଲ,୮।୯: ଅଗଷ୍ଟ ୨୮ରେ ଅଧିକାର ମାଗୁଥିଲେ, ଲାଠିମାଡ଼ ଖାଇଲେ। ପୋଲିସ ପ୍ରହାରରେ ଜଣେ ଚାଷୀଙ୍କ ଜୀବନ ଚାଲିଗଲା। ଏହାର ପ୍ରତିବାଦରେ ହରିୟାଣାର କର୍ନାଲ ସ୍ଥିତ ମିନି ସେକ୍ରେଟାରିଏଟ୍‌ ଘେରାଓ ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆହ୍ବାନ ଦିଆଯାଇଥିଲା। ଏହି କ୍ରମରେ ମଙ୍ଗଳବାର ପ୍ରାୟ ୨୦ ହଜାର ଚାଷୀ ଏକତ୍ରିତ ହୋଇଥିଲେ। ସ୍ଥାନୀୟ ପ୍ରଶାସନ ସେମାନଙ୍କୁ ରୋକିବା ପାଇଁ ଏକତ୍ରିତ ହେବାକୁ ଅନୁମତି ନ ଦେଇ ୧୪୪ ଧାରା ଜାରି କରିଥିଲା। ଏଥିସହ ମୋବାଇଲ୍‌ ଇଣ୍ଟରନେଟ୍‌ ସେବାକୁ ମଧ୍ୟ ବନ୍ଦ କରାଯାଇଥିଲା।
କେନ୍ଦ୍ରର ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ଗତମାସରେ କୃଷକ ସଙ୍ଗଠନଗୁଡ଼ିକ ପକ୍ଷରୁ ବିକ୍ଷୋଭ ବେଳେ ପୋଲିସର ଲାଠିମାଡ଼ରେ ସୁଶୀଲ କାଜ୍‌ଲା ନାମକ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଥିଲା। ଇତିମଧ୍ୟରେ କର୍ନାଲ ଏସ୍‌ଡିଏମ୍‌ ଆୟୁଷ ସିହ୍ନା ଆନ୍ଦୋଳନରତ କୃଷକଙ୍କ ମୁଣ୍ଡ ଫଟାଇବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସୁଶୀଲଙ୍କ ପାଇଁ ନ୍ୟାୟ ଦାବି କରି ହଜାର ହଜାର ଚାଷୀ କର୍ନାଲରେ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ମିନି ସେକ୍ରେଟାରିଏଟ୍‌ ଘେରାଉ କରିଛନ୍ତି। ବିକେୟୁ ନେତା ରାକେଶ ଟିକାଏତ୍‌ ଗଣମାଧ୍ୟମକୁ କହିଛନ୍ତି, ବିକ୍ଷୋଭରତ ଚାଷୀଙ୍କ ମୁଣ୍ଡ ଫଟାଇବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇ ଭିଡିଓରେ କଏଦ୍‌ ହୋଇଥିବା ଆଇଏଏସ୍‌ ଅଫିସରଙ୍କୁ ନିଲମ୍ବନ କରାଯାଉ। ଯୋଗେନ୍ଦ୍ର ଯାଦବ ମହାପଞ୍ଚାୟତକୁ ସମ୍ବୋଧିତ କରି କହିଥିଲେ, ଜଣେ ଆଇଏଏସ୍‌ ଅଫିସରଙ୍କୁ ଚାଷୀଙ୍କ ମୁଣ୍ଡ ଫଟାଇବା ପାଇଁ ନିର୍ଦ୍ଦେଶ ଦେବା ସକାଶେ କେଉଁ ସମ୍ବିଧାନ ଓ କେଉଁ ଆଇନ ଅନୁମତି ଦେଇଛି। ସରକାରଙ୍କୁ ତାହା ପଚାରିବା ପାଇଁ ଆମେ ଏଠାକୁ ଆସିଛୁ। ଆଲୋଚନା ବେଳେ ପ୍ରଶାସନ ପକ୍ଷରୁ ଡେପୁଟି କମିଶନର ନିଶାନ୍ତ କୁମାର ଯାଦବ, କର୍ନାଲ ଆଇଜିପି ମମତା ସିଂ, ଏସ୍‌ପି ଗଙ୍ଗାରାମ ପୁନିଆ ଉପସ୍ଥିତ ଥିଲେ। ତେବେ ଜିଲା ପ୍ରଶାସନ ଚାଷୀଙ୍କ ଦାବି ପୂରଣ କରିବାକୁ ସହମତି ପ୍ରକାଶ ନ କରିବାରୁ ଆଲୋଚନା ବିଫଳ ହୋଇଥିଲା।

Share