ଲୋକତନ୍ତ୍ର ନିର୍ମାଣ କରିବାକୁ ହେବ

ଇଂ. ଶକ୍ତି ପ୍ରସାଦ ଦାସ

ନିକଟରେ ଲୋକତନ୍ତ୍ର ପାଇଁ ଶିଖର ସମ୍ମିଳନୀରେ ଯୁକ୍ତରାଷ୍ଟ୍ର ରାଷ୍ଟ୍ରପତି ଚେତାବନୀ ଶୁଣାଇଛନ୍ତି ଯେ, ଗଣତନ୍ତ୍ରର ଅବକ୍ଷୟ ‘ଆମ ସମୟର ପ୍ରକୃତ ଆହ୍ବାନ’ ପାଲଟିଛି। ସେ କିଛି ଭୁଲ କହିନାହାନ୍ତି। ବାସ୍ତବରେ, ଲୋକତନ୍ତ୍ର ଅବରୋଧରେ ଅଛି। କ୍ରମାଗତ ଭାବରେ ଗତ ପାଞ୍ଚବର୍ଷ ହେଲାଣି ଏହି ପ୍ରକ୍ରିୟା ଅଧିକରୁ ଅଧିକ ରାଷ୍ଟ୍ରରେ ଦେଖାଯାଉଛି।
ଅନ୍ୟପକ୍ଷରେ, ଆମେରିକା ଦ୍ୱାରା ଆହୂତ ଏହି ଶିଖର ସମ୍ମିଳନୀ ସମାଲୋଚନାରୁ ବର୍ତ୍ତି ପାରିନାହିଁ।
ଏହା ଲୋକତନ୍ତ୍ରର ମୂଲ୍ୟବୋଧକୁ ସିଦ୍ଧ କରିବା ପାଇଁ ଯେତିକି ନୁହେଁ, ବରଂ ଏକ ‘ମୁକ୍ତ ବିଶ୍ୱ’ରେ ଆମେରିକାର ନେତୃତ୍ୱକୁ ଉଜାଗର କରିବାର ଏକ ପ୍ରୟାସ ଭାବରେ ଅଧିକ ଦେଖାଯାଉଛି। କାରଣ, ବୈଶ୍ୱିକ ସ୍ତରରେ ଗଣତନ୍ତ୍ର ଓ ଏକଚ୍ଛତ୍ରବାଦ ମଧ୍ୟରେ ସେଭଳି କୌଣସି ପ୍ରତିଯୋଗିତା ନାହିଁ। ଏହି ଅବକ୍ଷୟର ସଂପୂର୍ଣ୍ଣ ରୂପେ ଆଭ୍ୟନ୍ତରୀଣ କାରଣରୁ ହୋଇଛି। ଅଧିକନ୍ତୁ, ସମ୍ମିଳନୀକୁ ଆମନ୍ତ୍ରିତ ରାଷ୍ଟ୍ରଙ୍କ ତାଲିକା ଉପରେ ଅନେକ ପ୍ରଶ୍ନବାଚୀ ମଧ୍ୟ ଉଠିଛି। ହ୍ବାଇଟ୍‌ ହାଉସ୍‌ ଯେତେ ଯାହା କହୁନା କାହିଁକି, ସମାବେଶଟି ବାସ୍ତବରେ ଚାଇନା ଓ ରୁଷ ବିରୋଧରେ ଏକ ମିଳିତ ମଞ୍ଚ ଭାବରେ ବ୍ୟବହାର କରାଯାଇଛି ବୋଲି ଅନେକେ ଅନୁଭବ କରୁଛନ୍ତି।
ଯାହା ବି ହେଉ, ଆଜି ଲୋକତନ୍ତ୍ର ଏକ ଖରାପ ସମୟ ଦେଇ ଗତି କରୁଛି। ଏହାର ଅସ୍ତିତ୍ୱ ପ୍ରଭୁତ୍ୱବାଦର କ୍ରମବର୍ଦ୍ଧମାନ ବିପଦକୁ ସାମ୍ନା କରୁଛି। ବିଶ୍ୱର ଦୁଇ-ତୃତୀୟାଂଶରୁ ଅଧିକ ଲୋକ ବର୍ତ୍ତମାନ ଅଣ-ଲୋକତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଥିବା ଦେଶଗୁଡିକରେ ବସବାସ କରୁଛନ୍ତି। ଭାରତ ସମେତ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରାଜିଲ ଓ ଫିଲିପାଇନ୍ସ ଭଳି ବିଶ୍ୱର ଅନେକ ବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ରରେ ଲୋକତାନ୍ତ୍ରିକ ମୂଲ୍ୟବୋଧର ଅଧୋପତନ ଘଟିଥିବାର ଅନୁଭୂତ ହେଉଛି। ନାଗରିକ ସ୍ବାଧୀନତା ତଥା ସଂଖ୍ୟାଲଘୁଙ୍କ ଅଧିକାର ଉପରେ ପ୍ରତିବନ୍ଧକ, ନାଗରିକ ସମାଜର ଦୁର୍ବଳତା, ନ୍ୟାୟପାଳିକା ଓ ସାମ୍ବିଧାନିକ ଅନୁଷ୍ଠାନ ଉପରେ ଅନାବଶ୍ୟକ ଚାପ ଭଳି ଆଚରଣକୁ ନ୍ୟାୟପୂର୍ଣ୍ଣ ବୋଲି ରଙ୍ଗ ଦିଆଯାଉଛି।
କୋଭିଡ୍‌ ମହାମାରୀ ପରିପ୍ରେକ୍ଷୀରେ ଜରୁରିକାଳୀନ ସ୍ଥିତି, ଦୁଷ୍ପ୍ରଚାର ଏବଂ ସ୍ବାଧୀନ ଗଣମାଧ୍ୟମ ତଥା ଅଭିବ୍ୟକ୍ତିର ସ୍ବାଧୀନତା ଉପରେ ଅଙ୍କୁଶ ଏହି ବିପଦକୁ ତିବ୍ରତର କରିଛି। ମନଗଢ଼ା କାହାଣୀ ସୃଷ୍ଟି କରାଯାଉଛି କି ଆର୍ଥିକ ସମୃଦ୍ଧି ଓ ମହାମାରୀ ପରିଚାଳନା ପାଇଁ ପ୍ରଭୁତ୍ୱବାଦୀ ଶାସନ ଅଧିକ ପ୍ରଭାବଶାଳୀ।
ଇତିହାସକୁ ଅନୁସରଣ କଲେ ଜଣାଯାଏ ଯେ, ଗଣତନ୍ତ୍ର ଏକ କ୍ଷଣ-ଭଙ୍ଗୁର ବ୍ୟବସ୍ଥା। ୧୯୬୦ ପରଠାରୁ ସମଗ୍ର ବିଶ୍ୱରେ ଦୃଷ୍ଟିଗୋଚର ହୋଇଥିବା ୧୨୦ଟି ନୂଆ ଗଣତାନ୍ତ୍ରିକ ରାଷ୍ଟ୍ର ମଧ୍ୟରୁ ପ୍ରାୟ ଅର୍ଦ୍ଧେକ ନିଜକୁ ବିଫଳ ରାଷ୍ଟ୍ରରେ ପରିଣତ କରିଛନ୍ତି କିମ୍ବା ଅଧିକତର ପ୍ରଭୁତ୍ୱବାଦୀ ଶାସନ ବ୍ୟବସ୍ଥା ମଧ୍ୟକୁ ଚାଲିଯାଇଛନ୍ତି ବୋଲି ଜଣାଯାଏ। ଗଣତନ୍ତ୍ର ଶବ୍ଦକୁ ବ୍ୟବହାର କରି ଆମେରିକା ଭଳି କିଛି ରାଷ୍ଟ୍ର ବିଶ୍ୱରେ ନିଜ ନିଜର ସମର୍ଥକ ଗୋଷ୍ଠୀ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି। ୧୯୯୧ରେ ସୋଭିଏଟ୍‌ ରୁଷର ପତନ ଯଦିଓ ଘରୋଇ ବିଫଳତା କାରଣରୁ ଘଟିଥିଲା, ଆମେରିକା ଏହାର ଶ୍ରେୟ ନେବାକୁ ଭୁଲି ନ ଥିଲା।
ଚାଇନାର ପ୍ରଭୁତ୍ୱବାଦୀ ଶାସନର ଦୃଢ଼ୀକରଣରେ ପ୍ରଭାବିତ ହୋଇ କିଛି ଗରିବ, ଦୁର୍ବଳ ତଥା ନୂତନ ଗଣତାନ୍ତ୍ରିକ ରାଷ୍ଟ୍ର ଏହାର ଋଣ-ଯନ୍ତାରେ ପଡ଼ିଥିବାବେଳେ ଉଦ୍ଦେଶ୍ୟମୂଳକ ଭାବରେ ଋଣ ସହାୟତା ଯୋଗାଇ ଦେଇ ଚାଇନା ଗଣତାନ୍ତ୍ରିକ ଶାସନ ପ୍ରଣାଳୀକୁ ଭୁଲ ବୋଲି ଚିତ୍ରଣ କରିବାରେ ଲାଗିଛି। ଋଣ-ଜାଲ କୂଟନୀତିର ଫାଶରେ ପଡ଼ି ଆଫ୍ରିକୀୟ ଦେଶ ଉଗାଣ୍ଡା ବର୍ତ୍ତମାନ ତା’ର ଏକମାତ୍ର ‘ଏଣ୍ଟେବେ ଅନ୍ତର୍ଜାତୀୟ ବିମାନବନ୍ଦର’ ଚାଇନାକୁ ସମର୍ପଣ କରିବା ସ୍ଥିତିରେ ପହଞ୍ଚତ୍ଛି। ସେହିପରି ଶ୍ରୀଲଙ୍କା ନିଜର ‘ହେମ୍ବନ୍ତୋଟା ବନ୍ଦର’କୁ ୯୯ ବର୍ଷର ଲିଜ୍‌ରେ ବେଜିଂ ହାତକୁ ଟେକି ଦେବାକୁ ବାଧ୍ୟ ହୋଇଛି।
ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ଶାସନ କାଳରେ ରିପବ୍ଲିକାନ୍‌ ସମର୍ଥକଙ୍କ ଏକ ସଂଖ୍ୟାଗରିଷ୍ଠ ଗୋଷ୍ଠୀ ବିଶ୍ୱକୁ ବାର୍ତ୍ତା ଦେଲା କି, ଗଣତନ୍ତ୍ର ଏକମାତ୍ର ବିକଳ୍ପ ନୁହେଁ। ବ୍ରାଜିଲ, ତୁର୍କୀ, ହଙ୍ଗେରୀ ଭଳି ଦେଶରେ ପ୍ରଭୁତ୍ୱବାଦୀ ଲୋକତନ୍ତ୍ର ନିଜର ପ୍ରାଧିକୃତିକ ସ୍ଥିତିକୁ ସୁଦୃଢ଼ କରିବାର ଲୋଭକୁ ହାତଛଡ଼ା କରିପାରୁନାହାନ୍ତି। କ୍ଷମତାର ଲୋଭ, ଅସମାନତାର ବ୍ୟାପକ ଅଭିବୃଦ୍ଧି, ନିଷ୍ଠୁରତାର ଅପସଂସ୍କୃତି ଏବଂ ଲୋକାଚାରର ଅବମାନନା ଲୋକତନ୍ତ୍ରକୁ ଫମ୍ପା କରିସାରିଲାଣି।
୧୮୪ ବର୍ଷ ପୂର୍ବେ ଆବ୍ରାହାମ ଲିଙ୍କନ ଲୋକତନ୍ତ୍ର ସନ୍ଦର୍ଭରେ କହିଥିଲେ ଯେ, ‘ଯଦି ବିନାଶର ଯୋଗ ଅଛି, ତେବେ ଆମେ ନିଜେ ଏହାକୁ ଲେଖିବା ଆଉ ଶେଷ ମଧ୍ୟ କରିବା’। ଡକ୍ଟର ଆମ୍ବେଡକର ମଧ୍ୟ ଚେତାବନୀ ଦେଇଥିଲେ କି, ‘ନୂତନ ସମ୍ବିଧାନ ଅଧୀନରେ ବାଟ ଚାଲୁ ଚାଲୁ ଯଦି କିଛି ଭୁଲ ହୋଇଯାଏ, ତେବେ ଏହା ସମ୍ବିଧାନର ଦୋଷତ୍ରୁଟି କାରଣରୁ ହେବ ନାହିଁ। ବରଂ ସମ୍ବିଧାନକୁ ଠିକ ସମ୍ମାନ ଦେବାରେ ଊଣା କରିଥିବା କାରଣରୁ ହୋଇପାରେ।’ ଉପରୋକ୍ତ ଶିଖର ସମ୍ମିଳନୀରେ ଆମ ପ୍ରଧାନମନ୍ତ୍ରୀ ମୋଦି ଲୋକତନ୍ତ୍ରର ପ୍ରାଥମିକ ଆବଶ୍ୟକତା ଉପରେ ରେଖାପାତ କରି କହିଛନ୍ତି କି, ‘ସମସ୍ତ ଲୋକତାନ୍ତ୍ରିକ ସରକାରଙ୍କୁ ନିଜ ସମ୍ବିଧାନର ମୂଲ୍ୟବୋଧକୁ ସମ୍ମାନ ଦେବା ଉଚିତ’।
ଆଜି ମନକୁ ଏହି କଥା ଆନ୍ଦୋଳିତ କରୁଛି କି, ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଆମେ ଏବେ ମଧ୍ୟ ସେହି ରାଜରାଜୁଡ଼ା ମାନସିକତା ଭିତରେ ରହିଛୁ। ରହିଛି ଆଗଧାଡ଼ିର ଜାତୀୟ ତଥା ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ଅଭାବରୁ ଜଣେ ନେତା କିମ୍ବା ଗୋଟିଏ ପରିବାର ଉପରେ ସମସ୍ତେ ନିର୍ଭରଶୀଳ। ଅଥଚ ଗରିବ, ଦଳିତ, ସଂଖ୍ୟାଲଘୁଙ୍କ ନାମରେ ରାଜନୀତି ଚାଲିଛି। ଡ. ଆମ୍ବେଡକରଙ୍କ ଭାଷାରେ, ‘ରାଜନୀତିରେ ନାୟକ-ପୂଜା ଗଣତନ୍ତ୍ରର ପତନ ଓ ପରିଶେଷରେ ଏକଚ୍ଛତ୍ରବାଦ ଶାସନ ପାଇଁ ରାସ୍ତା ଖୋଲିବାକୁ ନିଶ୍ଚିତ କରେ।’
ଲୋକତନ୍ତ୍ରର କିଛି ଅନ୍ତର୍ନିହିତ ସର୍ତ୍ତ ଓ ବୈଶିଷ୍ଟ୍ୟରେ ଖିଲାପ ହେଲେ ଏହା ତା’ର ଆତ୍ମ-ବିନାଶ ପ୍ରବୃତ୍ତିକୁ ସମ୍ଭାବିତ କରିଥାଏ। ତିନି-ଚାରି ଦଶନ୍ଧି ତଳେ ‘ଆୟା-ରାମ, ଗୟା-ରାମ’ର ଯୁଗ ଚାଲିଥିଲା। ବର୍ତ୍ତମାନ ରାଜ୍ୟଗୁଡ଼ିକରେ ଛୋଟ-ବଡ଼ ଦଳବଦଳ ମାଧ୍ୟମରେ ଲୋକମତକୁ ହତାଦର କରି ବିସ୍ତାରବାଦୀ ଆଭିମୁଖ୍ୟର ପ୍ରଦର୍ଶନ କରାଯାଉଛି। ଅରୁଣାଚଳ, ମଣିପୁର, ଗୋଆ, କର୍ନାଟକ ଓ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ନିକଟ ଅତୀତରେ ଏହାର ନଜିର ଦେଖିବାକୁ ମିଳିଛି। ଲୋକତନ୍ତ୍ରର ଅନ୍ତର୍ନିହିତ ଦୁର୍ବଳତାକୁ ପାଥେୟ କରି ନିର୍ବାଚନ ବୈତରଣୀ ପାର ହେବାକୁ ପ୍ରୟାସ କଲେ, ଲୋକତନ୍ତ୍ର ବିଫଳ ହେବାକୁ ଆରମ୍ଭ କରେ। ମଣ୍ଡଳ ହେଉ ଅବା କମଣ୍ଡଳ ଅଥବା ମାଗଣା ତୁଷ୍ଟୀକରଣ ଯୋଜନା, ଏସବୁ ଶସ୍ତା ଲୋକପ୍ରିୟତା ଲୋକତନ୍ତ୍ର ପାଇଁ ସତର୍କ ଘଣ୍ଟି ବୋଲି ମାନିବାକୁ ହେବ।
ବହୁସଂଖୀୟ ରାଜନୀତିରେ ସଂସଦକୁ ରବର ଷ୍ଟାମ୍ପ ଭଳି ବ୍ୟବହାର କରାଗଲେ ଏହା ଭିତରୁ ଭିତରୁ ମରିଯିବ। କାରଣ, ଗୁଣୀ ଲୋକେ ନୀରବ ରହିବେ। ଦୁର୍ବଳ ଲୋକେ ଆତ୍ମସମର୍ପଣ କରିବେ। ଆନୁଷ୍ଠାନିକ, ସାମାଜିକ-ଅର୍ଥନୈତିକ ଓ ରାଜନୈତିକ ସମସ୍ୟାଗୁଡ଼ିକର ସମାଧାନ ହୋଇପାରିବ ନାହିଁ। ଅଣ-ନିର୍ବାଚିତ ପ୍ରତିନିଧି, ଅମଲାତନ୍ତ୍ର, ଧର୍ମୀୟ ନେତା, ବଡ଼ ବଡ଼ ବ୍ୟବସାୟୀ ଓ କିଛି ଗୋଡ଼ାଣିଆ ଗଣମାଧ୍ୟମ ଲୋକତନ୍ତ୍ରର ରାଜନୈତିକ ଭୂଗୋଳକୁ ବଦଳାଇବାକୁ ପ୍ରୟାସ କରିବେ।
ଶୀତଳ ଯୁଦ୍ଧ ପରେ ଲୋକଙ୍କୁ ଆକର୍ଷିତ କରିଥିବା ମୁକ୍ତ ବଜାର ଅର୍ଥନୀତିର ଅନୁମେୟ ସଫଳତା ଗଣତନ୍ତ୍ରକୁ ସମୃଦ୍ଧ କରୁଥିବାର ପ୍ରହେଳିକା ସୃଷ୍ଟି କରିଥିଲା। କିନ୍ତୁ, ଅବସରବାଦୀ ପୁଞ୍ଜି ନିବେଶ ବା ‘ଫୁଟ-ଲୁଜ କ୍ୟାପିଟାଲିଜମ୍‌’ କାରଣରୁ ସମୟ ସହିତ ଏହି କଳ୍ପନା ଅପ୍ରାସଙ୍ଗିକ ହୋଇଗଲାଣି। ‘ଲାଭର ଘରୋଇକରଣ ଏବଂ ତଜ୍ଜନିତ ଯନ୍ତ୍ରଣାର ସାମୂହିକୀକରଣ’ ସାଧାରଣ ଲୋକତନ୍ତ୍ରଗୁଡ଼ିକୁ ବନ୍ଧକ ପକାଇ ଦେଲାଣି। ଯୋଗାଯୋଗର ପ୍ରାଚୁର୍ଯ୍ୟତା ଆମକୁ ସମ୍ମୋହିତ କରିଛି, ଅତିଷ୍ଠ ମଧ୍ୟ କରିଛି।
ଏତେସବୁ ନକାରାତ୍ମକ ପରିସ୍ଥିତି ଭିତରେ ମଧ୍ୟ ସୁଡ଼ଙ୍ଗ ଶେଷରେ ଆଶାର ଆଲୋକ ଦିକ୍‌ ଦିକ୍‌ ହୋଇ ଜଳିବା ଭଳି ଲାଗୁଛି। ଜାମ୍ବିଆରେ, ଶାସକ ଦଳର ଦୃଢ଼ ରଣନୈତିକ କଳା-କୌଶଳ ସତ୍ତ୍ୱେ ଅଗଷ୍ଟ’ ୨୧ରେ ବିରୋଧୀ ଦଳର ବିଜୟ ସମ୍ଭବ ହୋଇଛି। ଚାଇନାରେ ଉଇଘର ଲୋକଙ୍କ ଉପରେ ସେଠାକାର ପ୍ରଭୁତ୍ୱବାଦୀ ଶାସକଙ୍କ ଅତ୍ୟାଚାର ମାନବିକ ଅଧିକାର କର୍ମୀଙ୍କୁ ଶକ୍ତ ପ୍ରତିକ୍ରିୟା ପ୍ରକାଶ କରିବାକୁ ସକ୍ଷମ କରିଛି । ବେଲାରୁଷ, କ୍ୟୁବା, ହଂକଂ ଓ ମ୍ୟାନ୍‌ମାର ଭଳି ଅନେକ ସ୍ଥାନରେ ଗଣତନ୍ତ୍ର ସମର୍ଥକମାନେ ମୁହଁ ଖୋଲୁଛନ୍ତି।
ଲୋକତନ୍ତ୍ରକୁ ସଳଖ କରିବାକୁ ହେଲେ ଲୋକତାନ୍ତ୍ରିକ ଅନୁଷ୍ଠାନସବୁକୁ ନାଗରିକ ସମାଜ ସହଯୋଗରେ ସାମାଜିକ ସମ୍ପର୍କକୁ ପୁନଃ ପ୍ରତିଷ୍ଠା କରିବାକୁ ପଡ଼ିବ। ନିର୍ଦ୍ଦିଷ୍ଟ ଭାବରେ, ଏହି ନୂତନ ସାମାଜିକ ସମ୍ପର୍କ ତତ୍କାଳିିକ ସୁଧାର ଓ ଦୀର୍ଘକାଳିକ ବିକାଶର ଆଧାର ହେବା ଆବଶ୍ୟକ। ଗଣତାନ୍ତ୍ରିକ ଶାସନ କିପରି ଓ କାହିଁକି ସର୍ବୋତ୍ତମ ବିକଳ୍ପ ତାହା ବୁଝାଇବାକୁ ପଡ଼ିବ।ନିକଟରେ ଆମେରିକାରେ ସୃଷ୍ଟ ଘଟଣାବଳୀରୁ କିଛି ଶିକ୍ଷା କରିବାର ଅଛି। ରାଷ୍ଟ୍ରପତି ଟ୍ରମ୍ପ୍‌ ସିନେଟ୍‌, ଫେଡେରାଲ କୋର୍ଟ ଓ ଫେଡେରାଲ ରିଜର୍ଭ ପରି ସ୍ବାଧୀନ ସାମ୍ବିଧାନିକ ଅନୁଷ୍ଠାନଗଡ଼ିକୁ ପ୍ରଭାବିତ କରିବା ପାଇଁ କୌଣସି ସୁଯୋଗକୁ ହାତଛଡ଼ା କରି ନ ଥିଲେ। କିନ୍ତୁ, କ୍ୟାପିଟାଲ ହିଲ୍‌ ଘଟଣା ପରେ ସମସ୍ତେ ଲୋକତନ୍ତ୍ର ସପକ୍ଷରେ ହିଁ ବାହାରିଲେ।
ଲୋକତନ୍ତ୍ରର ନିର୍ମାଣ କେବେବି ସହଜ ନ ଥିଲା, କି ଆଜି ବି ନାହିଁ। ଆମେ ଏକବିଂଶ ଶତାବ୍ଦୀର ନାଗରିକ, କିନ୍ତୁ ଆମର ଊନବିଂଶ ଶତାବ୍ଦୀର ଅନୁଷ୍ଠାନଗୁଡ଼ିକ ସେହି ପୁରୁଣାକାଳିଆ ପ୍ରକ୍ରିୟା ଓ ବିଚାରଧାରା ଦ୍ୱାରା ପର୍ଯ୍ୟବସିତ। ଲୋକତନ୍ତ୍ରକୁ ଏହାର ଅନୁଷ୍ଠାନଗୁଡ଼ିକୁ ନିରନ୍ତର ନବ-ନିର୍ମାଣ କରିବାକୁ ହେବ। କାରଣ, ଲୋକତନ୍ତ୍ର ବିନା ଆମ ପାଇଁ ଅନ୍ୟ ଗତି ନାହିଁ।
ଶ୍ରୀଜଗନ୍ନାଥ ବିହାର, ବରମୁଣ୍ଡା, ଭୁବନେଶ୍ୱର
ମୋ: ୯୪୩୭୧୬୪୬୧୧
Email: saktiprasadd@yahoo.in


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri