Categories: ଜାତୀୟ

ଲୋକତନ୍ତ୍ର ଆଇନ ଦ୍ୱାରା ପରିଚାଳିତ ହୋଇଥାଏ, ବ୍ୟକ୍ତି ବିଶେଷଙ୍କ ଶାସନରେ ନୁହେଁ…

ନୂଆଦିଲ୍ଲୀ, ୩୦।୧ : : ପଶ୍ଚିମବଙ୍ଗରେ ରାଜ୍ୟପାଳ ଜଗଦୀପ ଧନଖର ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ବିବାଦ ଥମିବାର ନା ଧରୁନି। ଦୀର୍ଘ ଦିନ ଧରି ବିଭିନ୍ନ ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ କାଦୁଅ ଫିଙ୍ଗା ଜାରି ରହିଛି। ସଦ୍ୟତମ ବିବୃତ୍ତିରେ ରାଜ୍ୟପାଳ ଧନଖର ପୁଣି ମମତାଙ୍କୁ ଟାର୍ଗେଟ କରିଛନ୍ତି।

ବିବୃତ୍ତିରେ ରାଜ୍ୟପାଳ କହିଛନ୍ତି, ଲୋକତନ୍ତ୍ର ବ୍ୟକ୍ତି ବିଶେଷଙ୍କ ଶାସନ ନୁହେଁ, ଏହା ଆଇନର ନିୟମ ଅନୁଯାୟୀ ଚାଲିଥାଏ। ଜଗଦୀପ ଧନଖର କହିଛନ୍ତି ଯେ ସମ୍ବିଧାନ ଅନୁଯାୟୀ ସିଏମ ମମତା ବାନାର୍ଜୀଙ୍କୁ ରାଜ୍ୟପାଳଙ୍କ ସହ ଆଲୋଚନା କରିବାକୁ ପଡିବ। ମୁଁ ଭାବୁଛି ସେ ନିଶ୍ଚିତ ଭାବରେ ଏହାକୁ ଗ୍ରହଣ କରିବେ।

ପଶ୍ଚିମବଙ୍ଗ ବିଧାନସଭାର ଆଗାମୀ ବଜେଟ ଅଧିବେଶନରେ ରାଜ୍ୟପାଳ ଜଗଦୀପ ଧନଖରଙ୍କ ବିରୋଧରେ ଏକ ପ୍ରସ୍ତାବ ଆଣିବା ବିକଳ୍ପ ଉପରେ ତୃଣମୂଳ କଂଗ୍ରେସ ବିଚାର କରୁଛି। ରାଜ୍ୟପାଳଙ୍କ ବିରୋଧରେ ଏକ ନିନ୍ଦା ପ୍ରସ୍ତାବ ଆଣିବାର ସମ୍ଭାବନାକୁ ନେଇ ଦଳ ମଧ୍ୟରେ ଆଲୋଚନା ଚାଲିଥିବା ସୂତ୍ରରୁ ପ୍ରକାଶ। ରାଜ୍ୟପାଳ ଯେଉଁଭଳି ଭାବରେ ବିଧାନସଭା ଏବଂ ବାଚସ୍ପତିଙ୍କୁ ଅପମାନିତ କରୁଛନ୍ତି ତାହା ରାଜ୍ୟର ରାଜନୈତିକ ଇତିହାସରେ କେବେ ଘଟି ନ ଥିଲା।

କିନ୍ତୁ ରାଜ୍ୟପାଳଙ୍କ ବିରୋଧରେ ଏଭଳି ପ୍ରସ୍ତାବ ନିଆଯାଇପାରିବ କି ନାହିଁ ଏବଂ ଏହାର ପରିଣାମ କ’ଣ ହେବ ସେ ନେଇ ତୃଣମୂଳ କଂଗ୍ରେସ ପକ୍ଷରୁ ସାମ୍ବିଧାନିକ ବିଶେଷଜ୍ଞଙ୍କ ସହ ପରାମର୍ଶ କରାଯିବାକୁ ଯୋଜନା ପ୍ରସ୍ତୁତ ହୋଇଥିବା ଚର୍ଚ୍ଚା ହେଉଛି। ତେବେ ବଜେଟ ଅଧିବେଶନ ପାଇଁ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ।

ତୃଣମୂଳର ମୁଖ୍ୟ ସଚେତକ ତାପସ ରାୟ କହିଛନ୍ତି ଯେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ କିନ୍ତୁ ରାଜ୍ୟପାଳଙ୍କ କାର୍ଯ୍ୟ ଏବଂ ରାଜ୍ୟ ପ୍ରସଙ୍ଗରେ ତାଙ୍କର ହସ୍ତକ୍ଷେପ ଗ୍ରହଣୀୟ ନୁହେଁ। ସେ କହିଛନ୍ତି, ରାଜ୍ୟ ଇତିହାସରେ ବାଚସ୍ପତିଙ୍କୁ ଏପରି ଅପମାନିତ କେବେ କରାଯାଇ ନାହିଁ। ରାଜ୍ୟପାଳଙ୍କ ଆଚରଣକୁ ନିନ୍ଦା କରାଯିବା ଉଚିତ। ,

Share