ଜମିହରା କର୍ମଚାରୀଙ୍କୁ ପୁନଃ ଅବସ୍ଥାପିତ ଦାବି

ଢେଙ୍କାନାଳ ଅଫିସ,୧୯।୪

ଢେଙ୍କାନାଳ ଜିଲା ଓଡାପଡା ବ୍ଲକ କୁରୁଣ୍ଟିଠାରେ ଗତ ୨୦୨୦ ମସିହାରୁ ବନ୍ଦହୋଇ ପଡିଥିବା ବିଆର୍‌ଜି ଷ୍ଟିଲ ପ୍ଲାଣ୍ଟ କିଛିଦିନ ତଳେ ରିମ୍‌ଝିମ୍‌ ଷ୍ଟିଲକୁ ବିକ୍ରି ହୋଇଯାଇଛି। ବିଆର୍‌ଜି କମ୍ପାନୀର ଜମିହରା କ୍ଷତିଗ୍ରସ୍ତ ପ୍ରଜାଙ୍କୁ ପୁନଃ ଅବସ୍ଥାପିତ କରିବା ପାଇଁ ସୋମବାର ରିମ୍‌ଝିମ୍‌ କମ୍ପାନୀ ଅଧିକାରୀମାନଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ୭ଦିନ ମଧ୍ୟରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି।
ପ୍ରକାଶ ଯେ, ବିଆର୍‌ଜି କମ୍ପାନୀ ବନ୍ଦ ହେବାପରେ ଏହି କମ୍ପାନୀ ରିମ୍‌ଝିମ୍‌ ଷ୍ଟିଲ କମ୍ପାନୀକୁ ବିକ୍ରି ହୋଇଯାଇଥିଲା। ନୂତନ କମ୍ପାନୀ ପୁରୁଣା କର୍ମଚାରୀମାନଙ୍କୁ ନେଇ କାମ କରିବ ବୋଲି ସମସ୍ତେ ଆଶା ରଖିଥିବା ବେଳେ ନୂତନ କମ୍ପାନୀ କର୍ମଚାରୀଙ୍କ ଅଭିଯୋଗ ନ ରଖିବା ଓ ନୂଆ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବାକୁ ପ୍ରସ୍ତୁତ ହେଉଥିବା ଦେଖି କ୍ଷତିଗ୍ରସ୍ତ ପ୍ରଜାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇଛି। ଘଟଣା ସମ୍ପର୍କରେ ଜାଣିବା ପରେ ସୋମବାର କୁଶୁପଙ୍ଗା ସରପଞ୍ଚ ଅନିତା ନାୟକଙ୍କ ନେତୃତ୍ୱରେ ପୂର୍ବତନ ସରପଞ୍ଚ ନିତ୍ୟାନନ୍ଦ ବେହେରା, ପୂର୍ବତନ ସମିତି ସଭ୍ୟ ଗୋବିନ୍ଦ ସାହୁ, କୁରୁଣ୍ଟି ଗ୍ରାମର ବିବେକାନନ୍ଦ ନାୟକ, ରାଜୀବ ଗୋପାଳ ସ୍ବାଇଁ, ବିକଳ ନାୟକ, ବାଉରିବନ୍ଧୁ ପରିଡା, ରଣଜିତ ନାୟକ, ଶ୍ରବଣ କୁମାର ନାୟକ, କୁଶୁପଙ୍ଗା ଗ୍ରାମର ନରେଶ ଚନ୍ଦ୍ର ରାଉତ, ଚିତ୍ତରଞ୍ଜନ ନାଥ, ମଙ୍ଗଳପୁର ଗ୍ରାମର ନୃସିଂହ ଚରଣ ସାହୁ ପ୍ରମୁଖ କମ୍ପାନୀ ମୁଖ୍ୟ ଫାଟକ ସମ୍ମୁଖରେ ପହଞ୍ଚିଥିଲେ। ଖବରପାଇ ନୂତନ କମ୍ପାନୀ ବରିଷ୍ଠ ଉପସଭାପତି ଏମ୍‌ପି ସିଂହ, ମାନବ ସମ୍ବଳ ବିଭାଗ ଡିଜିଏମ୍‌ ଚିତ୍ତରଞ୍ଜନ ମିଶ୍ର, ହରପାଲ ସିଂହ ପ୍ରମୁଖ ମୋଟଙ୍ଗା ପୋଲିସ ଉପସ୍ଥିତିରେ କ୍ଷତିଗ୍ରସ୍ତ ପ୍ରଜାଙ୍କ ସହିତ ଆଲୋଚନା ସହ ସରପଞ୍ଚ ଅନିତା ନାୟକଙ୍କ ଠାରୁ ଦାବିପତ୍ର ଗ୍ରହଣ କରିଥିଲେ। ପୂର୍ବ କମ୍ପାନୀରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ସହିତ ପାରିପାର୍ଶ୍ୱିକ ଉନ୍ନୟନ ସମ୍ପର୍କରେ ଦାବି କରାଯାଇଛି। ଆସନ୍ତା ଏକ ସପ୍ତାହ ମଧ୍ୟରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଗଲେ ପୂର୍ବପରି ନୂତନ କମ୍ପାନୀକୁ ସମସ୍ତ ସହଯୋଗ ମିଳିବ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଉପସଭାପତି ଏମ୍‌ପି ସିଂହ ଏ ସଂକ୍ରାନ୍ତରେ କମ୍ପାନୀର ବୋର୍ଡ ସହିତ ଆଲୋଚନା କରି ନିଷ୍ପତ୍ତି ଜଣାଇବା ପାଇଁ ସୂଚନା ଦେଇଛନ୍ତି ା