Categories: ଜାତୀୟ

ଜନ ଗଣ ମନ… ବଦଳାଇବା ପାଇଁ ଦାବି

ନୂଆଦିଲ୍ଲୀ,୨।୧୨: ରାଷ୍ଟ୍ର ଗାନ ଜନ ଗଣ ମନ…କୁ ପରିବର୍ତ୍ତନ କରିବା ପାଇଁ ଦାବି ହୋଇଛି। ଭାଜପା ସଦସ୍ୟ ସୁବ୍ରମଣ୍ୟମ୍‌ ସ୍ବାମୀ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି। ଇତି ମଧ୍ୟରେ ସ୍ବାମୀ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଲେଖିଥିବା ଚିଠିକୁ ସୋସିଆଲ୍‌ ମିଡ଼ିଆରେ ଅପଲୋଡ୍‌ କରିଛନ୍ତି। ସେ କହିଛନ୍ତି ଯେ, ୧୯୪୯ ନଭେମ୍ବର ୨୬ରେ ବିନା ଭୋଟିଂରେ ରାଷ୍ଟ୍ର ଗାନକୁ ସ୍ବୀକୃତି ମିଳିଥିଲା। ଏହି ସମୟରେ କୁହାଯାଇଥିଲା ଯେ, ଆବଶ୍ୟକ ପଡ଼ିଲେ ରାଷ୍ଟ୍ର ଗାନର ଶବ୍ଦରେ ଭବିଷ୍ୟତରେ ପରିବର୍ତ୍ତନ ଅଣାଯାଇ ପାରିବ। ଏହା ରବୀନ୍ଦ୍ରନାଥ ଠାକୁରଙ୍କ ଦ୍ୱାରା ରଚିତ ହୋଇଥିବାବେଳେ ପ୍ରଥମେ ୧୯୧୧ ଡିସେମ୍ବର ୨୭ରେ କୋଲକାତାରେ ହୋଇଥିବା କଂଗ୍ରେସ ଅଧିବେଶନରେ ବ୍ରିଟିଶ୍‌ ରାଜାଙ୍କୁ ସ୍ବାଗତ କରିବା ପାଇଁ ଗାନ କରାଯାଇଥିଲା। ରବୀନ୍ଦ୍ରନାଥଙ୍କ ଦ୍ୱାରା ରଚିତ ବଡ଼ କବିତାର ପ୍ରଥମ ୧୩ ଧାଡ଼ିକୁ ରାଷ୍ଟ୍ର ଗାନ ଭାବେ ଗାନ କରାଯାଉଛି। ଏହାକୁ ଗାନ କରିବା ଲାଗି ୫୨ ସେକେଣ୍ଡ ସମୟ ଲାଗୁଛି। ସୁଭାଷଚନ୍ଦ୍ର ବୋଷଙ୍କ ଦ୍ୱାରା କରାଯାଇଥିବା ପରିବର୍ତ୍ତନକୁ ଗ୍ରହଣ କରାଯାଇପାରେ ବୋଲି ସ୍ବାମୀ ମତ ଦେଇଛନ୍ତି। ସୂଚନାଯୋଗ୍ୟ, ଲୋକ ସଭାରେ ସଂଖ୍ୟା ଗରିଷ୍ଠତା ଯୋଗୁ ଭାଜପା ଏହି ପ୍ରସ୍ତାବକୁ ସହଜର ପାରିତ କରାଇ ପାରିବ। ମାତ୍ର ରାଜ୍ୟ ସଭାରେ ଏହି ପ୍ରସ୍ତାବ ପାରିତ ହେବା କଷ୍ଟକର ହେବ ବୋଲି ସମ୍ବିଧାନ ବିଶାରଦ ମତ ପୋଷଣ କରିଛନ୍ତି।

Share