ଅଧାପନ୍ତରିଆ ରାସ୍ତା ମରାମତି ଦାବି

ଯାଜପୁର ଅଫିସ/ରଗଡି (ଡି.ଏନ.ଏ.),୩।୫: ଯାଜପୁର ଜିଲାର ଗ୍ରାମ୍ୟ ଉନ୍ନୟନ ବିଭାଗରେ ଠିକାଦାରଙ୍କ ମନମୁଖି କାର୍ଯ୍ୟ ବଢ଼ିବାରେ ଲାଗିଛି। କେଉଁଠି ନିମ୍ନମାନର କାମ କରି ଠିକାଦାର ଆବଣ୍ଟିତ ଅନୁଦାନର ସିଂହଭାଗ ଅର୍ଥ ଚଳୁ କରୁଛନ୍ତି ତ ଆଉ କେଉଁଠି ଅଧାପନ୍ତରିଆ କାର୍ଯ୍ୟ କରି ଛତ୍ରଭଙ୍ଗ ହେଉଥିବା ନଜରକୁ ଆସୁଛି। ଯାଜପୁର ଜିଲା କୋରେଇ ବ୍ଲକ ଅନ୍ଧାରୀ ପଞ୍ଚାୟତ ୨୦ ନମ୍ବର ଜାତୀୟ ରାଜପଥର ରଗଡିିଠାରୁ କିଆପଦା ରାସ୍ତାକୁ ଏହାର ଏକ ଜ୍ୱଳନ୍ତ ଉଦାହରଣ ଭାବେ ନିଆଯାଇପାରିବ। ଏହି ୫.୫ କିମି ରାସ୍ତାର ମରାମତି ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରାୟ ୬୧ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିଲା। ହେଲେ କାମ ଆରମ୍ଭରୁ ଠିକାଦାର ୩.୫ କିମି ପର୍ଯ୍ୟନ୍ତ ଅତି ନିମ୍ନମାନର କାମ କରି ଲକ୍ଷାଧିକ ଟଙ୍କା ଚଳୁ କରିବାକୁ ଉଦ୍ୟମ କରୁଥିବାବେଳେ ଗ୍ରାମବାସୀ ତୀବ୍ର ବିରୋଧ କରିଥିଲେ। ପରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ବିଶ୍ୱରଞ୍ଜନ ବେହେରା ଗ୍ରାମବାସୀଙ୍କ ଉପସ୍ଥିତିରେ କାର୍ଯ୍ୟର ମାନ ପରଖି ଥିଲେ। ମରାମତି ହୋଇଥିବା ୩.୫ କି.ମି. ରାସ୍ତା ନିମ୍ନମାନର ହୋଇଥିବା ତଦନ୍ତରେ ଜଣାପଡ଼ିବା ପରେ କନିଷ୍ଠ ଯନ୍ତ୍ରୀ ବେହେରା ପୁନର୍ବାର କାର୍ଯ୍ୟ କରିବା ପାଇଁ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଯନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅବମାନନା କରି ସମ୍ପୃକ୍ତ ଠିକାଦାର ୧ ମାସରୁ ଊର୍ଦ୍ଧ୍ୱ ହେବ ଅଧାପନ୍ତରିଆ କାର୍ଯ୍ୟ କରି ପଳାଇଛନ୍ତି। ମରାମତି କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାକୁ ଗ୍ରାମବାସୀ ବିଭିନ୍ନ ମହଲରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ଅଧିକାରୀ ଏହାକୁ କର୍ଣ୍ଣପାତ କରୁ ନାହାନ୍ତି। ରାସ୍ତା ଉପରେ ନିର୍ଭରଶୀଳ ପ୍ରାୟ ୧୦ ଗ୍ରାମର ଲୋକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ମରାମତି କାର୍ଯ୍ୟ ଶେଷ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଯଦି ଠିକାଦାର ଜାଣିଶୁଣି କାମ ବନ୍ଦ କରିଥିବେ ତେବେ ତାଙ୍କୁ କଳା ତାଲିକାଭୁକ୍ତ କରିବାକୁ ମଧ୍ୟ ଦାବି ହେଉଛି। କନିଷ୍ଠ ଯନ୍ତ୍ରୀ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ସମ୍ପୃକ୍ତ ଠିକାଦାରଙ୍କ ସହ ଯୋଗାଯୋଗ ହେଉଛି। ଖୁବ୍‌ଶୀଘ୍ର ପୁଣି କାମ ଆରମ୍ଭ କରାଯିବ।