ନିଲମ୍ବନ ଆଦେଶ ପ୍ରତ୍ୟାହାର ଦାବି: ଧାରଣାରେ ବସିଲେ ପ୍ୟାକ୍ସ ସମ୍ପାଦକ

ବରଗଡ଼ ଅଫିସ,୧।୨: ବରଗଡ଼ ଛିଲାର ୧୦ଟି ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ସମ୍ପାଦକଙ୍କୁ ନିଲମ୍ବିତ କରାଯାଇଛି। ୨୦୧୮-୧୯ ରବି ଧାନ କିଣାବିକାରେ ହୋଇଥିବା ଅନିୟମିତତା ତଥା ରାଜ୍ୟସ୍ତରୀୟ ଏକ ସ୍କ୍ବାଡର ରିପୋର୍ଟ ଆଧାରରେ ସେମାନଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି ସମବାୟ ଉପ ନିବନ୍ଧକ (ଡିଆରସିଏସ) ଭକ୍ତବନ୍ଧୁ ସାହୁ କହିଛନ୍ତି। ଅନ୍ୟପକ୍ଷରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇ ସମବାୟ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି କ୍ରମରେ ସୋମବାର ଜିଲାର ସମସ୍ତ ପ୍ୟାକ୍ସ ସମ୍ପାଦକ ଏବଂ ଅନ୍ୟ କର୍ମଚାରୀ ଏକତ୍ରିତ ହୋଇଛନ୍ତି ଏବଂ ସେଭଳି କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଡିଆରସିଏସ ଅଫିସ ଆଗରେ ଧାରଣାରେ ବସିଛନ୍ତି । କର୍ମଚାରୀଙ୍କ ଏଭଳି ଧାରଣା ଯୋଗୁଁ ପ୍ୟାକ୍ସ କାର୍ଯ୍ୟାଳୟଗୁଡିକ ଅଚଳ ହୋଇପଡିଛି।