ଧାନ କିଣା ଦୁର୍ନୀତିର ତଦନ୍ତ ଦାବି

ଖୋର୍ଦ୍ଧା ଅଫିସ,୨୦।୩: ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅସରଳା ସେବା ସମବାୟ ସମିତି(ପ୍ୟାକ୍ସ)ରେ ନକଲି ଚାଷୀଙ୍କ ଠାରୁ ଧାନ କିଣାଯାଇଥିବା ଅଭିଯୋଗ ଆସିଛି। ଶୁକ୍ରବାର ଏନେଇ ଏହି ସମିତିର ପଞ୍ଜୀକୃତ ଶତାଧିକ ଚାଷୀ ଜିଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ବଳକା ପଞ୍ଜୀକୃତ ଚାଷୀଙ୍କ ଧାନ କିଣାଯିବା ବ୍ୟବସ୍ଥା ସହ ନକଲିି ଚାଷୀଙ୍କଠାରୁ ଧାନକିଣାର ତଦନ୍ତ ଲାଗି ଚାଷୀ ଦୁର୍ଯ୍ୟୋଧନ ସ୍ବାଇଁ, ବାଇନାଥ ସ୍ବାଇଁ, ପ୍ରକାଶ ଚନ୍ଦ୍ର ମିଶ୍ର, ପରେଶ ମହାପାତ୍ର, ପ୍ରମୋଦ ବଳିୟାରସିଂ, ଗୌରାଙ୍ଗ ବରାଡ଼, ଗୋପି ସ୍ବାଇଁ, ଗୋପାଳ ସ୍ବାଇଁ, ଲିଙ୍ଗରାଜ ମହାପାତ୍ର, ପ୍ରଦୀପ ପଟ୍ଟନାୟକଙ୍କ ସମେତ ଏକାଧିକ ଚାଷୀ ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି।
ଦାବିପତ୍ରରେ ଦର୍ଶାଯାଇଛି ଯେ, ପଞ୍ଜୀକୃତ ଚାଷୀଙ୍କ ଧାନ ମଣ୍ଡିରେ ପଡ଼ିରହିଛି। ଧାନ ବ୍ରିକି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଟୋକନ ପାଇ ସୁଦ୍ଧା ଧାନ ବିକ୍ରି କରି ପାରୁ ନ ଥିବା ବେଳେ ଏକାଧିକ ନକଲିି ଚାଷୀଙ୍କ ନାମ ଚାଷୀଭାବେ ପଞ୍ଜୀକରଣ କରାଯାଇ ସେମାନଙ୍କୁ ଟୋକନ ଦିଆଯାଇ କୁଇଣ୍ଟାଲ କୁଇଣ୍ଟାଲ ଧାନ କିଣାଯାଇଛି। ଏପଟେ ପ୍ରକୃତ ଚାଷୀ ଧାନ ଧରି ବସି ରହିଛି। ଟାର୍ଗେଟ ନ ଥିବା କହି ସମିତି ସମ୍ପାଦକ ଦିନ ଗଡ଼ାଇ ଚାଲିଛନ୍ତି। ଟୋକନ ପାଇଥିବା ଚାଷୀଙ୍କ ଅବଧି ସରି ଆସିଲାଣି। ଅନ୍ୟପଟେ ଚାଷଜମି ନ ଥିବା ବ୍ୟକ୍ତିଙ୍କ ନାମରେ ଚାଷଜମି ଥିବା ଦର୍ଶାଇ ଧାନ କିଣାଚାଲିଛି। ସମିିିତି ସମ୍ପାଦକ ଏବଂ ଡାଟା ଏଣ୍ଟ୍ରିି ଅପରେଟର ଅନ୍ୟର ଜମିକୁ ନିଜ ନାମରେ ଜମିପଟ୍ଟା ଦର୍ଶାଇ ଶହ ଶହ କୁଇଣ୍ଟାଲ ଧାନ ମଣ୍ଡିରେ ଦେଇଛନ୍ତ। ଦଲାଲ, ମିଲର୍ସ ଏବଂ ସମିତି ସମ୍ପାଦକଙ୍କ ମଧୁଚନ୍ଦ୍ରିକାରେ ଧାନକିଣା ଚାଲିଛି। ଶ୍ରୀଜଗନ୍ନାଥଙ୍କ ନାମରେ ରହିଥିବା ଚାଷଜମିକୁ ଚାଷୀଙ୍କ ନାମରେ ଦର୍ଶାଇ ଗୋଟିଏ ପରବାରର ୧୨ଜଣ ସଦସ୍ୟଙ୍କଠାରୁ ଶତାଧିକ କୁଇଣ୍ଟାଲ ଧାନ କିଣାଯାଇଛି। ସେହିପରି ଏକାଧିକ ନକଲି ଚାଷୀଙ୍କୁ ଚାଷୀଭାବେ ଦର୍ଶାଇ ଶତାଧିକ କୁଇଣ୍ଟାଲ ଧାନ କିଣାଯାଇଛି। ଅନ୍ୟପଟେ ଟାର୍ଗେଟ ନ ଥିବା କହି ପ୍ରକୃତ ଚାଷୀଙ୍କୁ ଫେରାଯାଉଛି ବୋଲି ଅଭିଯୋଗରେ ଦର୍ଶାଇଛନ୍ତି। ଏନେଇ ସମିିତି ସମ୍ପାଦକ ବସନ୍ତ କୁମାର ନାୟକଙ୍କ ମୋବାଇଲ ନଂ.୮୩୨୮୯୯୦୦୪୦ଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରି ନାହିଁ। ଅନ୍ୟପଟେ ପୂର୍ବରୁ ଏହି ବ୍ଲକ ଶ୍ରୀଚନ୍ଦନପୁର ପାଟଣାରେ ନକଲିି ଚାଷୀଙ୍କଠାରୁ ଶତାଧିକ କୁଇଣ୍ଟାଲ ଧାନ କିଣାଯାଇଥିବା ନେଇ ଅଭିଯୋଗ ହୋଇଥିଲା।