ଜବରଦଖଲ ଉଚ୍ଛେଦ ନେଇ ତାତିଲେ ଗ୍ରାମବାସୀ

କୋରାପୁଟ,୬ା୫(ସ୍ବ.ପ୍ର.): କୋରାପୁଟ ଜିଲା ଲମତାପୁଟ ବ୍ଲକର ବ୍ରାହ୍ମଣୀପୁଟ ଗ୍ରାମାଞ୍ଚଳରେ ବେଆଇନ ଭାବେ କେତେକ ବ୍ୟକ୍ତି ସରକାରୀ ଜମିକୁ ଜବରଦଖଲ କରି ଦୋକାନ ଓ ଗୃହ ନିର୍ମାଣ କରି ଅସାମାଜିକ କାର୍ଯ୍ୟ ଚଳାଇଛନ୍ତି। ଏହାକୁ ଉଚ୍ଛେଦ କରିବା ପାଇଁ ଗ୍ରାମବାସୀ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ବ୍ରାହ୍ମଣୀପୁଟ ଗ୍ରାମ ନିକଟସ୍ଥ ଛକରେ କିଛି ସରକାରୀ କର୍ମଚାରୀଙ୍କ ସହ ସାମାଜିକ ବ୍ୟକ୍ତି ସରକାରୀ ଜମି ଜବରଦଖଳ କରି ଦୋକାନ ଘର କରିଛନ୍ତି। ଏପରି କି ସେଠାରେ ମଦ, ଗଞ୍ଜେଇ କାରବାର ସହ ବିଭିନ୍ନ ଅସାମାଜିକ କାର୍ଯ୍ୟ କରାଯାଉଛି। ଏନେଇ ଅନେକ ସମୟରେ ଗଣ୍ଡଗୋଳ ପରି ପରିସ୍ଥିତି ସୃଷ୍ଟି ହେଉଛି। ଉକ୍ତ ସ୍ଥାନରୁ ଜବରଦଖଲ ଉଚ୍ଛେଦ କରାଯାଇ ସାପ୍ତାହିକ ହାଟ, ବସ୍‌ଷ୍ଟାଣ୍ଡ, ଶୌଚାଳୟ ଆଦି ନିର୍ମାଣ କରିବାକୁ ଦାବିପତ୍ରରେ ଉଲ୍ଲେଖ ରହିଛି। ଦାବିପତ୍ର ପ୍ରଦାନ ବେଳେ ଶିବ ଦାର୍ଲି, ଲଛୁ କିର୍ସାନୀ, ମାଧବ ଦାର୍ଲିଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ ।