ପିସିସିଏମଫ୍‌ ବନ୍ୟପ୍ରାଣୀଙ୍କ ଇସ୍ତଫା ଦାବି ତେଜିଲା

ଭୁବନେଶ୍ୱର, ୧୮।୫(ବ୍ୟୁରୋ): ଚନ୍ଦକାରେ ନନ୍ଦନକାନନର ପୋଷା ହାତୀ ‘ନନ୍ଦ’ର ମୃତ୍ୟୁକୁ ନେଇ ଥମୁନି ବିବାଦ। ପରିଚାଳନାଗତ ତ୍ରୁଟି ଯୋଗୁ ହାତୀଟିର ମୃତ୍ୟୁ ହୋଇଥିବା କୁହାଯାଉଥିବାବେଳେ ପିସିସିଏଫ୍‌ ବନ୍ୟପ୍ରାଣୀଙ୍କ ଇସ୍ତଫା ଦାବି କରିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ। ନନ୍ଦକୁ ମସ୍ତ ଆସିଲେ ଟ୍ରାଙ୍କୁଲାଇଜ କରି ଇଞ୍ଜେକ୍ସନ ଦେଇ ସମ୍ଭାଳିବା ପାଇଁ ଚେଷ୍ଟା କରାଯାଉଥିଲା। କିନ୍ତୁ ଏହାକୁ ନେଇ ଓଡ଼ିଶାରେ ଦୀର୍ଘ ୨୦ ବର୍ଷରୁ ଊର୍ଦ୍ଧ୍ୱ କାଳ ଟ୍ରାଙ୍କୁଲାଇଜେଶନ ଭାର ସମ୍ଭାଳି ଥିବା ବନ୍ୟପ୍ରାଣୀ ବିଶେଷଜ୍ଞ କମଳ ଲୋଚଣ ପୁରୋହିତ କହିଛନ୍ତି, ୧୯୯୭ ନଭେମ୍ବର ୧୧ରେ ‘ନନ୍ଦ’କୁ ପ୍ରଥମଥର ପାଇଁ ମୁଁ ହିଁ ଟ୍ରାଙ୍କୁଲାଇଜ କରିଥିଲି। ସେଦିନ ମୋ ଆଖି ସାମ୍ନାରେ ସେ ମାହୁନ୍ତ ରାଧାରଞ୍ଜନଙ୍କୁ ମାରିଦେଇଥିଲା। ସେଇଟା ନନ୍ଦ ଜୀବନରେ ପ୍ରଥମଥର ମସ୍ତ ଆସୁଥିଲା। କିନ୍ତୁ ୧୯୯୭ ରୁ ୨୦୧୦ ମସିହା ପର୍ଯ୍ୟନ୍ତ ଦୀର୍ଘ ୧୩ ବର୍ଷ ଭିତରେ ନନ୍ଦନକାନନରେ ଥିବା ଯାଏ ‘ନନ୍ଦ’ର ମସ୍ତ ମ୍ୟାନେଜମେଣ୍ଟ ପାଇଁ ଥରୁଟିଏ ବି ଟ୍ରାଙ୍କୁଲାଇଜ କରାଯାଇ ନ ଥିଲା। କିନ୍ତୁ ଚନ୍ଦକାରେ କାହିଁକି ସେମାନେ ସେପରି ବାରମ୍ବାର ଟ୍ରାଙ୍କୁଲାଇଜ୍‌ କରୁଥିଲେ, ତାହା କରିବା ଲୋକ ନଚେତ୍‌ ଚନ୍ଦକା ଡିଏଫ୍‌ଓ ହିଁ କହିପାରିବେ।
ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମରେ ‘ନନ୍ଦ’ ହାତୀର ମୃତ୍ୟୁ ପାଇଁ ସିଧାସଳଖ ବନବିଭାଗକୁ ଦାୟୀ କରି ବନ୍ୟପ୍ରାଣୀ ପିସିସିଏଫ୍‌ଙ୍କ ଇସ୍ତଫା ଦାବୀ କରିଛନ୍ତି ଆନିମଲ ୱେଲ୍‌ଫେୟାର ଟ୍ରଷ୍ଟ ଏକାମ୍ରର ମୁଖ୍ୟ ପୁରବୀ ପାତ୍ର। ସେ ଆଜି ଫେସ୍‌ବୁକରେ ନନ୍ଦର ଅକାଳ ମୃତ୍ୟୁ ପାଇଁ ବନ୍ୟପ୍ରାଣୀ ପିସିସିଏଫ୍‌ଙ୍କୁ ତୀବ୍ର ସମାଲୋଚନା କରିବା ସହ ଇସ୍ତଫା ଦେବା ପାଇଁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି।