ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ଖୋଲିବାକୁ ଦାବି

ପୁରୀ ଅଫିସ,୬।୧୦: ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ଖୋଲିବା ଦାବିରେ ମଙ୍ଗଳବାର ଧାରଣାରେ ବସିଛନ୍ତି ସୁଆର ମହାସୁଆର ନିଯୋଗର ପୂର୍ବତନ ସଭାପତି ଦାମୋଦର ମହାସୁଆର। ସେ ଅନ୍ୟ କେତେଜଣ ସେବାୟତଙ୍କ ସହ ଶ୍ରୀମନ୍ଦିର ସମ୍ମୁଖ ଅରୁଣ ସ୍ତମ୍ଭ ନିକଟରେ ଧାରଣା ଦେଇଛନ୍ତି। ଧାରଣାକାରୀମାନେ କହିଛନ୍ତି ଯେ, କରୋନା ପାଇଁ ୭ ମାସ ହେବ ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବାରଣ କରାଯାଇଛି। ଫଳରେ ଏହାର ପ୍ରଭାବ ସେବାୟତଙ୍କ ଉପରେ ପଡିଛି। ସେମାନଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୪ଟି ପର୍ଯ୍ୟାୟରେ ଦିଆଯାଇଥିବା ୨୦ ହଜାର ଟଙ୍କା ଆବଶ୍ୟକତାକୁ ମେଣ୍ଟାଇବା ଯଥେଷ୍ଟ ନୁହେଁ। ତେଣୁ ଭକ୍ତଙ୍କୁ ମନ୍ଦିରକୁ ଛଡାଯାଉ ବୋଲି ଦାବି କରିଛନ୍ତି।