ଯୌନ ଶୋଷଣ ଅଭିଯୋଗ ମାମଲା: ଝରିଗାଁ ବିଧାୟକଙ୍କୁ ଗିରଫ ଦାବି ତେଜୁଛି

ଉମରକୋଟ,୯ା୫(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବିଧାୟକ ପ୍ରକାଶ ମାଝିଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆସିବା ପରେ ତାଙ୍କୁ ଗିରଫ ଦାବି ତେଜୁଛି। ନବରଙ୍ଗପୁର ଜିଲାର ବିଭିନ୍ନ ଅଞ୍ଚଳରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଏବଂ ଥାନା ଘେରାଉ ଜାରି ରହିଛି। ରବିବାର ଜିଲା କଂଗ୍ରେସ ପକ୍ଷରୁ ବିଧାୟକଙ୍କ ନିଜ ନିର୍ବାଚନମଣ୍ଡଳୀ ତଥା ଉମରକୋଟ ବ୍ଲକ ସିଂଶାରୀ ପୋଲିସ ଫାଣ୍ଡି ଘେରାଉ କରାଯାଇଛି। ଏଠାରେ ଦଳୀୟ କର୍ମୀମାନେ ବିଧାୟକଙ୍କ କୁଶପୁତ୍ତଳିକା ଦାହ କରିବା ସହ ଫାଣ୍ଡି ପରିସରକୁ ଧସେଇ ପଶିଥିଲେ। ଏହି ସମୟରେ କଂଗ୍ରେସ କର୍ମୀ ଏବଂ ପୋଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା।
ଜିଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଶୋଭାଯାତ୍ରାରେ ଯାଇ ଥାନା ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିଧାୟକଙ୍କ କୁଶପୁତ୍ତଳିକା ଦାହ କରି ଦଳୀୟ ନେତୃବୃନ୍ଦ ଏବଂ କର୍ମୀମାନେ ଶୋକ ପାଳନ କରିଥିଲେ। ଏହି ସମୟରେ ପୋଲିସ ସହ ଧସ୍ତାଧସ୍ତି ହେଇଥିଲା। ବିଧାୟକଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଫାଣ୍ଡି ଅଧିକାରୀ କୁବେର ଦିଗାଲଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ବିଧାୟକଙ୍କୁ ଗିରଫ କରାଯିବା ସହ ଅଭିଯୋଗକାରିଣୀଙ୍କୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଦଳ ପକ୍ଷରୁ ବିଭିନ୍ନ ଥାନା ଘେରାଉ ଜାରି ରହିବ। ଆଗାମୀ ଦିନରେ ଏସ୍‌ପି ଅଫିସ ମଧ୍ୟ ଘେରାଉ କରି ସମଗ୍ର ଜିଲାକୁ ବନ୍ଦ କରି ଦିଆଯିବ ବୋଲି କଂଗ୍ରେସ ନେତୃବୃନ୍ଦ ଚେତାବନୀ ଦେଇଛନ୍ତି।
ଥାନା ଘେରାଉବେଳେ ପୂର୍ବତନ ବିଧାୟକ ଭୁଜବଳ ମାଝି, ଉଲଧର ମାଝି, ଏସ୍‌. ବିଜୟ, କୃଷ୍ଣ ମାଝି, ନାରୀ ନେତ୍ରୀ ହାରାବତି ଗଣ୍ଡ, ସୁରେନ୍ଦ୍ର ନାୟକ, ଉସ୍ମାନ ଲାଠିଆ, ଅମୂଲ୍ୟ ପଟ୍ଟନାୟକ, ପର୍ଶୁ ନାୟକ, ଦିବାକର ପୂଜାରୀ, ପୂର୍ବତନ ଜିଲା ପରିଷଦ ସଦସ୍ୟ କପୁରଚାନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।