ସିଦ୍ଧମଠ ଔଷଧୀୟ ବଗିଚାର ପୁନରୁଦ୍ଧାର ଦାବି

କେନ୍ଦୁଝର,୩୧ା୫(ସ୍ବ.ପ୍ର.)

କେନ୍ଦୁଝର ପୁରୁଣାବଜାର ଠାରେ ଥିବା ପ୍ରାଚୀନ ଧାର୍ମିକ ପୀଠ ସିଦ୍ଧମଠ ରକ୍ଷଣାବେକ୍ଷଣ ଅଭାବରୁ ଅବହେଳିତ ହୋଇପଡିଛି ା ପ୍ରାକୃତିକ ସାୈନ୍ଦର୍ଯ୍ୟ ପରିବେଶ ମଧ୍ୟରେ ଥିବା ଏହି ସ୍ଥାନଟି ପ୍ରଶାସନର ଅବହେଳା ଯୋଗୁ ନଷ୍ଟହେବାକୁ ବସିଥିବା ବେଳେ ଏଠାରେ ଥିବା ବୃହତ୍ତ ଔଷଧୀୟ ବଗିଚା ରକ୍ଷଣାବେକ୍ଷଣ ଅଭାବରୁ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି।
ବନ ବିଭାଗ ପକ୍ଷରୁ ପରିବେଶର ସୁରକ୍ଷା ପାଇଁ ବ୍ୟାପକ ବନୀକରଣ କରିବା ସହ ଔଷଧୀୟ ବୃକ୍ଷ ବନୀକରଣ କରୁଛନ୍ତି ଏବଂ ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବିଭିନ୍ନ ପ୍ରକାରର ଔଷଧୀୟ ବୃକ୍ଷରୋପଣ ହୋଇଥିଲା। କିନ୍ତୁ କେନ୍ଦୁଝରର ଏହି ପୁରାତନ ଔଷଧୀୟ ବଗିଚାର ପୁନରୁଦ୍ଧାର ନ କରି ଅନ୍ୟାନ୍ୟ ଅଞ୍ଚଳରେ ନୂତନ ଔଷଧୀୟ ବଗିଚା ନିର୍ମାଣ ଚାଲିଛି। ଶାନ୍ତ ସରଳ ପରିବେଶ ସାଙ୍ଗକୁ ଏଠାରେ ଥିବା ଔଷଧୀୟ ବଗିଚା, ପ୍ରାକୃତିକ ସାୈନ୍ଦର୍ଯ୍ୟ ତଥା ସହରାଞ୍ଚଳର ବ୍ୟସ୍ତତା ଜୀବନ ଅନେକଙ୍କୁ ଆକୃଷ୍ଟ କରିଥାଏ। ଏଠାରେ ଥିବା ପ୍ରାୟ ୨ ହେକ୍ଟର ପରିମିତ ଔଷଧୀୟ ବଗିଚାରେ ଆଗରୁ ରକ୍ତ ଚନ୍ଦନ, ଶ୍ୱେତ ଚନ୍ଦନ, ନାଗେଶ୍ୱର, ଚମ୍ପା, ମୁଚୁକୁନ୍ଦ, ହରିଡା, ବାହାଡା, ଅଁଳା, ଅର୍ଜୁନ, ନିମ୍ବ, କରଞ୍ଜ, ଓଡସମାରୀ, ଅସନ, ଭାଲିଆ ଆଦି ବହୁ ଔଷଧୀୟ ବୃକ୍ଷ ଥିଲା। ତେବେ ରକ୍ଷଣାବେକ୍ଷଣ ଅଭାବ ସାଙ୍ଗକୁ ସୁରକ୍ଷା ଅଭାବରୁ ଏଠାରେ ଥିବା ବୃହତ ମୂଲ୍ୟବାନ ଚନ୍ଦନ ବଗିଚା ଚୋରି ହୋଇ ଲୋପ ପାଇଯାଇଥିବା ବେଳେ ଅନ୍ୟ ଉପାଦେୟ ବୃକ୍ଷ ଲୋପପାଇବାକୁ ବସିଛି। ଏହାର ପରିସର ଉନ୍ମତ୍ତ ହୋଇ ପଡିଥିବାବେଳେ ସୁରକ୍ଷା ପାଚେରୀ, ଘର ଆଦି ଧ୍ୱସ୍ତ ହୋଇଗଲାଣି। ଉକ୍ତ ବାଗାନକୁ ସୁରକ୍ଷା କରିବା ସହ ପୁନଃ ଔଷଧୀୟ ବୃକ୍ଷରୋପଣ କରାଯାଇପାରିଲେ ଏହା ଜିଲାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ଲୋକପ୍ରିୟ ବଗିଚା ହୋଇପାରିବ। ଚୁଳିଆ ପର୍ବତମାଳା ପାଦ ଦେଶରେ ଓ ଘଞ୍ଚ ଜଙ୍ଗଲ ପରିବେଷ୍ଟିତ ଏହି ସିଦ୍ଧ ସାଧନର ଐତିହାସିକ ଓ ପାୈରାଣିକ ପୀଠ ସିଦ୍ଧ ମଠରେ ବହୁ ପୂର୍ବରୁ ସାଧୁସନ୍ଥ ମାନେ ସାଧନା କରୁଥିଲେ। ଏହି ଧାର୍ମିକ ପୀଠ ପରିସରରେ ସିଦ୍ଧ ଜଗନ୍ନାଥ, ସିଦ୍ଧ କାଳୀ, ସିଦ୍ଧ ହନୁମାନ, ସିଦ୍ଧ ଶିବ ବହୁ ଆଗରୁ ପୂଜାପାଇ ଆସୁଥିବା ବେଳେ ଏବେ ଏହି ପରିସରରେ ଶନି ଓ ସାଇ ବାବାଙ୍କ ମନ୍ଦିର ରହିଛି। ଯଦିଓ ମନ୍ଦିର ଗୁଡିକ ଦେବୋତ୍ତର ବିଭାଗ ଅଧୀନରେ ରହିଛି ତେବେ ଜଙ୍ଗଲ ଓ ବଗିଚା ବନ ବିଭାଗ ଅଧୀନରେ ରହିଛି। ଏଣୁ ଉଭୟ ବିଭାଗ ମଧ୍ୟରେ ସମନ୍ବୟରେ ଏହି ବାଗାନକୁ ଅଧିକ ବିକଶିତ କରିବାକୁ ଦାବି ହେଉଛି। ଏସମ୍ପର୍କରେ କେନ୍ଦୁଝର ଡିଏଫଓ ଧନରାଜ ଏଚ.ଡି. କହିଛନ୍ତି ଯେ ଏହି ଔଷଧୀୟ ବଗିଚାର ପୁନରୁଦ୍ଧାର କରିବା ପାଇଁ ପଦକ୍ଷେପ ନିଆଯିବ। କବିରାଜ ହରେକୃଷ୍ଣ ମହାନ୍ତ କହିଛନ୍ତି, ବର୍ତ୍ତମାନ ସମୟରେ ଔଷଧୀୟ ବୃକ୍ଷ ଓ ଲତା ଲୁପ୍ତ ହେବାକୁ ବସିଛି। ଏଣୁ ବହୁ ସଂଖ୍ୟାରେ ରୋପଣ କରି ବହୁ ପୁରୁଣା ସିଦ୍ଧମଠ ଔଷଧୀୟ ବଗିଚାର ସୁରକ୍ଷା କରିବା ସହ ପରିବେଶର ସୁରକ୍ଷା କରାଯାଇପାରିବ।