ପୂର୍ଣ୍ଣାଙ୍ଗ ସ୍ବାସ୍ଥ୍ୟସେବା ଯୋଗାଇବା ଦାବିରେ ତେଜିଲା ଆନ୍ଦୋଳନ

ବରଗଡ଼ ଅଫିସ,୧୪ା୧୦: ବରଗଡ଼ ସହରସ୍ଥିତ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାରେ ପୂର୍ଣ୍ଣାଙ୍ଗ ସ୍ବାସ୍ଥ୍ୟସେବା ଯୋଗାଇଦେବା ଦାବିରେ ପୁଣି ଆନ୍ଦୋଳନ ତେଜି ଉଠିଛି। ହସ୍ପିଟାଲ ବଞ୍ଚାଅ ଅଭିଯାନ ପକ୍ଷରୁ ବୁଧବାର ଏହି ଦାବି ନେଇ ଏକ ଶୋଭାଯାତ୍ରା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାରୁ ବାହାରି ସହର ପରିକ୍ରମା ସହିତ ଜିଲାପାଳ ଅଫିସ ଯାଇଥିଲା। ମୁଖ୍ୟମନ୍ତ୍ରୀ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ସିଏଚ୍‌ସି) ଘୋଷଣା କରିଥିବା ଯୋଗୁ ଏହି ଘୋଷଣା ମୁତାବକ ଉକ୍ତ ଡାକ୍ତରଖାନାରେ ଆବଶ୍ୟକ ସଂଖ୍ୟକ ଡାକ୍ତର, ସ୍ବାସ୍ଥ୍ୟ କର୍ମଚାରୀ ନିଯୁକ୍ତି ଏବଂ ଅନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରିବା ପାଇଁ ଦାବି ହୋଇଛି। ହସ୍ପିଟାଲ ବଞ୍ଚାଅ ଅଭିଯାନର ଭବାନୀ ପ୍ରସାଦ ସାହୁ, ଅମିତାଭ ପାତ୍ର, ରମେଶ ପତି, ପବିତ୍ର ଦେହୁରୀ ବାସମତୀ ବଳଛୋର, ମେରିୟମ ବାର୍ଲା ପ୍ରମୁଖ ଏହାର ନେତୃତ୍ୱ ନେଇଥିବାବେଳେ ବହୁସଂଖ୍ୟକ ମହିଳା, ପୁରୁଷ ସାମିଲ ହୋଇଥିଲେ।
ସୂଚନାଯୋଗ୍ୟ, ବରଗଡ଼ ସହର ଉପକଣ୍ଠ ବରଡୋଲରେ ନୂତନ ଜିଲା ମୁଖ୍ୟ ଡାକ୍ତରଖାନା ଦୀର୍ଘଦିନ ହେଲା କାର୍ଯ୍ୟକ୍ଷମ ହୋଇସାରିଛି। ତେବେ ସହରବାସୀଙ୍କ ବାରମ୍ବାର ଆନ୍ଦୋଳନ ଏବଂ ଦାବି ପରେ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ମୁଖ୍ୟମନ୍ତ୍ରୀ ସିଏଚ୍‌ସି ଘୋଷଣା କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଉକ୍ତ ଡାକ୍ତରଖାନାରେ ସିଏଚସି ମୁତାବକ ଆବଶ୍ୟକ ଡାକ୍ତର, ସ୍ବାସ୍ଥ୍ୟ କର୍ମଚାରୀ ଓ ଅନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ହୋଇ ପାରିନାହିଁ। ଫଳରେ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି।