ରାୟଗଡା/ଗୁଣପୁର,୨।୧୦(ଜଗନ୍ନାଥ ଗୌଡ/ସୁଜାତା ପାଢ଼ୀ):ରାୟଗଡ଼ା ଜିଲାର ଗୁଡ଼ାରୀରୁ ରାଜଧାନୀ ଭୁବନେଶ୍ୱରକୁ ସିଧାସଳଖ ସରକାରୀ ବସ ଚଳାଚଳ ଦାବିରେ ଶୁକ୍ରବାର ସାଇକେଲ ଯାତ୍ରା ଆରମ୍ଭ କରିଛନ୍ତି ପ୍ରମୋଦ ପତି। ଗୁଡ଼ାରୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ ସାଇକେଲରେ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିବା ତାଙ୍କର ଲକ୍ଷ୍ୟ ବୋଲି ସେ କହିଛନ୍ତି।
ଗୁଡ଼ାରୀରୁ ରାଜଧାନୀ ଭୁବନେଶ୍ୱରକୁ ସିଧାସଳଖ ସରକାରୀ ବସ ସେବା ଯୋଗାଇଦେବା ଦାବିରେ ପ୍ରମୋଦ ପତି ଗତ ୧୮ ଜୁଲାଇ ୨୦୨୬ରେ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଦାବିପତ୍ରରେ ସେ ଉଲ୍ଲେଖ କରିଥିଲେ ଯେ, ୩୦ ସେପ୍ଟେମ୍ବର ୨୦୨୬ ସୁଦ୍ଧା ଗୁଡ଼ାରୀରୁ ଭୁବନେଶ୍ୱର ଏବଂ ଭୁବନେଶ୍ୱରରୁ ଗୁଡ଼ାରୀ ଉଭୟ ପଟୁ ସରକାରୀ ବସ ସେବା ଆରମ୍ଭ ନ ହେଲେ ଗାନ୍ଧୀ ଜୟନ୍ତୀ ଅବସରରେ ଗୁଡ଼ାରୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ ସାଇକେଲରେ ଯାତ୍ରା କରି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିବେ। ଧାର୍ଯ୍ୟ ସମୟସୀମା ଶେଷ ହୋଇଥିଲେ ମଧ୍ୟ ଗୁଡ଼ାରୀ ଅଞ୍ଚଳବାସୀଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଉପରେ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଅଭିଯୋଗ କରିଛନ୍ତି ପ୍ରମୋଦ। ଏହା ପରେ ନିଜ ପ୍ରତିଶ୍ରୁତି ଅନୁଯାୟୀ ସେ ଗାନ୍ଧୀ ଜୟନ୍ତୀ ଦିନ ଗୁଡ଼ାରୀରୁ ଭୁବନେଶ୍ୱର ଅଭିମୁଖେ ସାଇକେଲ ଯାତ୍ରା ଆରମ୍ଭ କରିଛନ୍ତି।
ଯାତ୍ରା ଆରମ୍ଭ ପୂର୍ବରୁ ସେ ମା’ ମାଣିକେଶ୍ୱରୀଙ୍କ ପୀଠରେ ନଡ଼ିଆ ଭାଙ୍ଗି ପୂଜାର୍ଚ୍ଚନା କରିଥିଲେ। ଏହାପରେ ସେ ସାଇକେଲରେ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ। ଗୁଡ଼ାରୀ ଅଞ୍ଚଳର ଲୋକଙ୍କ ଯାତାୟାତ ସମସ୍ୟା ଦୂର କରିବା ସହ ରାଜଧାନୀ ସହ ସିଧାସଳଖ ଯୋଗାଯୋଗ ପାଇଁ ସରକାରୀ ବସ ସେବା ଆରମ୍ଭ କରିବା ତାଙ୍କର ମୁଖ୍ୟ ଦାବି ବୋଲି ପ୍ରମୋଦ ପତି ପ୍ରକାଶ କରିଛନ୍ତି।