ବରୀ,୯।୯(ମହେନ୍ଦ୍ର ସ୍ବାଇଁ):ସରକାର ଶିକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ ଦେଉଥିବାବେଳେ ବରୀ ଶିକ୍ଷାମଣ୍ଡଳ ଅଧୀନସ୍ଥ କୃଷ୍ଣନଗର ପ୍ରାଥମିକ ବିଦ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ, ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୫ଟି ଶ୍ରେଣୀ ଥିବା ବେଳେ ୪୭ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ବିଦ୍ୟାଳୟରେ ମୋଟ ୩ ଜଣ ଶିକ୍ଷକ ଥିବା ବେଳେ ପ୍ରଧାନ ଶିକ୍ଷକଙ୍କ ବଦଳିକୁ ନେଇ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଏହାର ପ୍ରତିବାଦରେ ଛାତ୍ରୀଛାତ୍ରଙ୍କ ଅଭିଭାବକମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଦୀର୍ଘ ସମୟ ଧରି ଧାରଣାରେ ବସିଥିଲେ। ପ୍ରଧାନ ଶିକ୍ଷକଙ୍କ ବଦଳି ନିଷ୍ପତ୍ତି ପ୍ରତ୍ୟାହାର କରି ତାଙ୍କୁ ପୁନର୍ବାର ଏହି ବିଦ୍ୟାଳୟରେ ଅବସ୍ଥାପିତ କରିବାକୁ ଅଭିଭାବକମାନେ ଦାବି କରିଥିଲେ।
ଖବର ପାଇ ବରୀ ଶିକ୍ଷାମଣ୍ଡଳ ଅଧିକାରିଣୀ ପ୍ରତିଶ୍ରୁତି ସିଂ ଘଟଣାସ୍ଥଳରେ ପହଞ୍ଚି ଧାରଣାରତ ଅଭିଭାବକମାନଙ୍କ ସହ ଆଲୋଚନା କରିଥିଲେ। ବଦଳି ହୋଇଥିବା ପ୍ରଧାନ ଶିକ୍ଷକଙ୍କୁ ପୁନର୍ବାର ଏହି ବିଦ୍ୟାଳୟରେ ଅବସ୍ଥାପିତ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେବା ପରେ ଅଭିଭାବକମାନେ ଧାରଣା ପ୍ରତ୍ୟାହାର କରିଥିଲେ।