ସୁରକ୍ଷା ପାଇଁ ସରକାରୀ ଜମିରେ ଗଛ ଲଗାଇବାକୁ ଦାବି

ରଘୁନାଥପୁର,୩୦ା୭ (ଡି.ଏନ୍‌.ଏ.): ରଘୁନାଥପୁର ତହସିଲ ଅନ୍ତର୍ଗତ ତାରପୁର ବେଲବଣଠାରୁ ଜଇପୁର ଦସୁଆଦଣ୍ଡା ପର୍ଯ୍ୟନ୍ତ ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ୱରେ ଥିବା ସରକାରୀ ଜମି ରହିଛି। ଏହି ସରକାରୀ ଜମି ସହ ମହାନଦୀ ଦକ୍ଷିଣ ପାର୍ଶ୍ୱ ନଦୀ ବନ୍ଧ ପଠାରେ ଗଛ ଲଗାଇବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଜିଲାପାଳଙ୍କ ନିକଟରେ ଦାବି କରାଯାଇଛି। ଗତ ପାଞ୍ଚବର୍ଷ ତାଳଦଣ୍ଡା କେନାଲର ପୁନରୁଦ୍ଧାର କାର୍ଯ୍ୟ ହୋଇଥିଲା। ତେବେ ବେଲବଣଠାରୁ ଦସୁଆଦଣ୍ଡା ପର୍ଯ୍ୟନ୍ତ ଏହି କେନାଲର ୭ କିଲୋମିଟର ସମେତ ମହାନଦୀ ବନ୍ଧର ଉପରୋକ୍ତ ଅଞ୍ଚଳର ୭୫ ପ୍ରତିଶତ ବାଲିରେ ନିର୍ମିତ ହୋଇଥିବାରୁ ନଦୀରେ ପାଣି ବଢ଼ିଲେ ପାର୍ଶ୍ୱବର୍ତ୍ତୀ ଗ୍ରାମଗୁଡିକରେ ବନ୍ୟା ପରିସ୍ଥିତି ହେବାର ଆଶଙ୍କା ରହିଛି ବୋଲି ସେତେବେଳେ କୁହାଯାଇଥିଲା। ଏହାର ସୁରକ୍ଷା ପାଇଁ କେନାଲର ଉଭୟ ପାର୍ଶ୍ୱ ସମେତ ନଦୀ ପଠାରେ ଗଛ ଲଗାଯିବା ଅତ୍ୟନ୍ତ ଜରୁରୀ ବୋଲି ତତ୍କାଳୀନ ଏସଡ଼ିଓ ଅଞ୍ଚଳବାସୀଙ୍କୁ ସତର୍କ କରାଇଥିଲେ। ଏନେଇ ସ୍ଥାନୀୟ ଲୋକେ ବନ୍ଧର ଉଭୟ ପାର୍ଶ୍ୱ ଓ ନଦୀପଠାରେ ଥିବା ସରକାରୀ ଜମିରେ ଚାରା ରୋପଣ ପାଇଁ ଜିଲାପାଳ ଓ ମହାନଦୀ ଦକ୍ଷିଣପାର୍ଶ ଜଳସମ୍ପଦ ବିଭାଗକୁ ଲିଖିତ ଭାବେ ଅବଗତ କରାଇଥିଲେ। ମାତ୍ର ଅଦ୍ୟାବଧି ଏହା କାର୍ଯ୍ୟକାରୀ ହୋଇପାରି ନାହିଁ। ଇତି ମଧ୍ୟରେ କେନାଲକୁ ଲାଗି ରହିଥିବା ସରକାରୀ ଜମିକୁ କିଛି ଲୋକ ନିଜ ଅକ୍ତିଆରକୁ ନେଇ ତା ଉପରେ ସ୍ଥାୟୀ ପକ୍କାଘର ମଧ୍ୟ ନିର୍ମାଣ କରିଛନ୍ତି। ଆଉ କେତେଜଣ ଏହି ସରକାରୀ ପଠାଜମିକୁ ଦଖଲ କରି ଚାଷବାସ କରୁଛନ୍ତି। ସ୍ଥାନୀୟ ଲୋକଙ୍କ ଅନୁରୋଧ କ୍ରମେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଉକ୍ତ ସରକାରୀ ଜମିରେ ଗଛ ଲଗାଇବା ପାଇଁ ଇଚ୍ଛା ପ୍ରକାଶ କରୁଥିଲେ ସୁଦ୍ଧା ସେମାନଙ୍କୁ ଧମକ ଦିଆଯାଉଛି। ଏହି ଜାଗାରୁ ଜବରଦଖଲ ଉଚ୍ଛେଦ କରାଯାଇ ସେଠାରେ ଗଛ ଲଗାଇବାକୁ ଅନୁମତି ଦେବାକୁ ସାମାଜିକ କର୍ମୀ ଲକ୍ଷ୍ମଣ ଦାଶ, ପ୍ରଭାକର ମଲ୍ଲିକ, ଚନ୍ଦ୍ରଶେଖର ସିଂହ, ସରୋଜ କୁମାର ଦାଶ ପ୍ରମୁଖ ଦାବି କରିଛନ୍ତି।