ଗଞ୍ଜାମ, ୬।୭ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ନୀଳାଦ୍ରିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସୁଦାମ ନାୟକଙ୍କୁ ଅନ୍ୟ ଏକ ବିଦ୍ୟାଳୟକୁ ଡେପୁଟେଶନରେ ପଠାଯାଇଥିବାକୁ ନେଇ ବିଦ୍ୟାଳୟ ପରିଚାଳନା କମିଟି ଓ ଅଭିଭାବକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ଏହାର ପ୍ରତିବାଦରେ ସୋମବାର ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇ, ଶିକ୍ଷକ ସୁଦାମ ନାୟକଙ୍କୁ ତୁରନ୍ତ ନିଜ ବିଦ୍ୟାଳୟକୁ ଫେରାଇ ଆଣିବାକୁ ଦାବି କରାଯାଇଛି।
ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ନୀଳାଦ୍ରିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହେଉଥିବା ବେଳେ ୨୫୦ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଏଭଳି ପରିସ୍ଥିତିରେ ବିଦ୍ୟାଳୟରେ ଶିକ୍ଷକଙ୍କ ଆବଶ୍ୟକତା ଥିବା ସତ୍ତ୍ୱେ ଜଣେ ଶିକ୍ଷକଙ୍କୁ ଡେପୁଟେଶନରେ ଅନ୍ୟତ୍ର ପଠାଇବା ଫଳରେ ପାଠପଢ଼ା ବ୍ୟାହତ ହେଉଛି।
ପରିଚାଳନା କମିଟି ଚେତାବନୀ ଦେଇଛି ଯେ, ଦାବିପତ୍ର ପ୍ରଦାନର ୧୦ ଦିନ ମଧ୍ୟରେ ସମସ୍ୟାର ସମାଧାନ ନହେଲେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯିବ।
ଦାବିପତ୍ର ପ୍ରଦାନ ବେଳେ ପାଳିବନ୍ଧ ପଞ୍ଚାୟତର ପୂର୍ବତନ ସରପଞ୍ଚ ଦିଲ୍ଲୀପ କୁମାର ଛୋଟରାୟ, ଧର୍ମରାଜ ସ୍ୱାଇଁ, ଶ୍ରୀଧର ସ୍ୱାଇଁ, ସୁଜିତ ବେହେରା, ଅନିଲ ବିଶ୍ୱାଳଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଓ ଅଭିଭାବକମାନେ ଉପସ୍ଥିତ ଥିଲେ।