ଚିଲିକା ବିଧାୟକଙ୍କ ଗିରଫ ଦାବିରେ ଏସ୍‌ପିଙ୍କ କାର୍ଯ୍ୟାଳୟ ଘେରାଉ

ଖୋର୍ଦ୍ଧା ଅଫିସ,୧୬ା୯: ଚିଲିକା ଭାଜପା ନେତା ନିରଞ୍ଜନ ସେଠୀଙ୍କୁ ଗତ ୮ ତାରିଖରେ ବାଲୁଗାଁ ଏନ୍‌ଏସି ଆଗରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ମାଡ଼ ମାରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ବିବାଦକୁ ଟାଣି ହୋଇଛନ୍ତି। ଫଳରେ ବିଧାୟକଙ୍କ ପାଇଁ ଅଡୁଆ ବଢ଼ିଛି। ତାଙ୍କୁ ଗିରଫ ଦାବିରେ ଭାଜପା ଓଡ଼ିଶା ପ୍ରଦେଶ, ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ଗୁରୁବାର ନୂଆ ବସ୍‌ଷ୍ଟାଣ୍ଡରୁ ଏକ ଶୋଭାଯାତ୍ରାରେ ବାହାରି ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଦେବା ସହ ଏସ୍‌ପିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ତୁରନ୍ତ ଗିରଫ କରାଯିବା ସହ ବାଲୁଗାଁ ଏନ୍‌ଏସି ଆଗରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ ପାଇଁ ଦାବି ହୋଇଛି। ଘଟଣା ସମୟରେ ସେଠାରେ ଉପସ୍ଥିତ ଥିବା ପୋଲିସ ଅଫିସର, କନଷ୍ଟେବଳଙ୍କ ବୟାନ ରେକର୍ଡ କରାଯିବା ପାଇଁ ମଧ୍ୟ ଦାବି କରାଯାଇଛି। ବିଧାୟକଙ୍କ ବିରୋଧରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ଏଣୁ ତାଙ୍କୁ ଏନ୍‌ଏସ୍‌ଏ ଅନ୍ତର୍ଭୁକ୍ତ କରି ତୁରନ୍ତ ଗିରଫ କରିବାକୁ ଦାବିରେ ଉଲ୍ଲେଖ କରାଯାଇଛି। ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କୁହନ୍ତି, ବିଧାୟକଙ୍କ ବିରୋଧରେ ଅନୁସୂଚିତ ଜାତି ଓ ଜନଜାତି ଆକ୍ଟରେ ମାମଲା ରୁଜୁ ହୋଇଛି। ତଥାପି ଖୋର୍ଦ୍ଧା ପୋଲିସ ତାଙ୍କୁ ଗିରଫ କରିବାରେ ବିଫଳ ହୋଇଛି। ଶାସକ ଦଳ ଛତ୍ରଛାୟା ତଳେ ରହିଥିବାରୁ ପୋଲିସ ତାଙ୍କୁ ଗିରଫ କରିବାକୁ ପଛଘୁଞ୍ଚା ଦେଉଛି। ଏହାକୁ ଭାଜପା ବରଦାସ୍ତ କରିବ ନାହିଁ। ଜିଲା ବ୍ୟାପୀ ଆନ୍ଦୋଳନ କରାଯିବ। ଅନୁସୂଚିତ ଜାତି ମୋର୍ଚ୍ଚା ଅଧ୍ୟକ୍ଷ ବିଭୂପ୍ରସାଦ ତରାଇ କୁହନ୍ତି, ଚିଲିକା ବିଧାୟକଙ୍କୁ ତୁରନ୍ତ ଗିରଫ କରା ନ ଗଲେ ରାଜ୍ୟବ୍ୟାପୀ ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ କରାଯିବ। ଅନ୍ୟମାନଙ୍କ ମଧ୍ୟରେ ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ରାଘବ ମାଝି,
ଜିଲା ସଭାପତି ରଶ୍ମୀରଞ୍ଜନ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁଚରଣ ଖଣ୍ଡାୟତରାୟ, ବିଶ୍ବଭୂଷଣ ବଡ଼ଜେନା, ମହିଳା ମୋର୍ଚ୍ଚା ଜିଲା ସଭାନେତ୍ରୀ ପ୍ରବୀଣା ଭଞ୍ଜଦେଓଙ୍କ ସମେତ ବହୁ ଦଳୀୟ କର୍ମୀ ଯୋଗ ଦେଇଛନ୍ତି।