ଉଠାଦୋକାନୀଙ୍କୁ ଥଇଥାନ ଦାବି

ବାସୁଦେବପୁର,୬।୨(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ମୁଖ୍ୟବଜାର ରାସ୍ତାପାର୍ଶ୍ୱରେ ବହୁସଂଖ୍ୟକ ଉଠାଦୋକାନ ପାଇଁ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ବାସୁଦେବପୁର ପୌରପାଳିକା ଓ ପ୍ରଶାସନ ପକ୍ଷରୁ ଉଠାଦୋକାନ ଉଚ୍ଛେଦ ପାଇଁ ୩ ଦିନ ତଳେ ଉଦ୍ୟମ ଆରମ୍ଭ ହୋଇଥିବା ବେଳେ ଦୋକାନୀମାନେ ଥଇଥାନ ଦାବି କରିବାରୁ ଉଚ୍ଛେଦ ପ୍ରକ୍ରିୟା ବନ୍ଦ ରହିଥିଲା। ଉଚ୍ଛେଦ ପୂର୍ବରୁ ଉଠାଦୋକାନୀମାନଙ୍କୁ ଉପଯୁକ୍ତ ଥଇଥାନ କରାଯିବା ପାଇଁ ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ଏକ ଦାବିପତ୍ର ପୌର ନିର୍ବାହୀ ଅଧିକାରୀ, ପୌରାଧ୍ୟକ୍ଷା ଓ ତହସିଲଦାରଙ୍କ କାର୍ଯ୍ୟାଳୟରେ ପ୍ରଦାନ କରାଯାଇଛି। ଯୁବ ମୋର୍ଚ୍ଚାର ଟାଉନ ସଭାପତି ତୈସିଫ ଇକବାଲ ଖାଁଙ୍କ ନେତୃତ୍ୱରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି। ଭାଜପା ଯୁବ ମୋର୍ଚ୍ଚା କର୍ମକର୍ତ୍ତା ଓ ଉଠାଦୋକାନୀମାନେ ଉପସ୍ଥିତ ଥିଲେ।