ବରଗଡ଼,୧ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଥାନାଛକ ସମ୍ମୁଖରେ ରହିଥିବା ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ଲାଗି ରହିଛି। ତୋରଣ ନିର୍ମାଣରେ ବ୍ୟାପକ ଅନିୟମିତତା ତଥା ନିମ୍ନମାନର କାର୍ଯ୍ୟ ହୋଇଥିବା ଯୋଗୁ ଝଡ଼ବତାସରେ ତୋରଣ ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି। ଏହି କ୍ରମରେ ରବିବାର ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ବରଗଡ଼ ନାଗରିକ ମଧ୍ୟ ଅନୁରୂପ ଅଭିଯୋଗ କରିଛି। ଖବରଦାତା ସମ୍ମିଳନୀରେ ବରଗଡ଼ ନାଗରିକ ମଞ୍ଚର ସଭାପତି ଭୀଷ୍ମଦେବ ସରାଫ୍ କହିଥିଲେ, ଜନସାଧାରଣଙ୍କ ଟିକସ୍ରେ ଲକ୍ଷଲକ୍ଷ ଟଙ୍କା ବ୍ୟୟ କରାଯାଇ ସେହି ତୋରଣ ନିର୍ମାଣ କରାଯାଇଥିଲା। ମାତ୍ର ନିର୍ମାଣକୁ ୬ ମାସ ନ ପୂରୁଣୁ ତାହା ଭାଙ୍ଗିଗଲା ଏବଂ ଏଥିରେ ୨ଜଣ ଆହତ ମଧ୍ୟ ହୋଇଥିଲେ। ଫଳରେ ତୋରଣ ନିର୍ମାଣରେ ସମ୍ପୃକ୍ତ ଅଧିକାରୀ, ଠିକାସଂସ୍ଥା ପ୍ରମୁଖଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ସହିତ ଆହତଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଦେବାକୁ ସେ ଦାବି କରିଛନ୍ତି।
ସେ ଆହୁରି କହିଛନ୍ତି, ଥାନାଛକ ପ୍ରଶସ୍ତିକରଣରେ ଜନସାଧାରଣଙ୍କ ସମର୍ଥନ ରହିଛି। କିନ୍ତୁ ସେଠାରେ ତୋରଣ ନିର୍ମାଣ କରାଯିବା ଯୋଗୁ ବ୍ୟସ୍ତବହୁଳ ଏହି ଛକ ପୁଣି ସଂକୁଚିତ ହେଉଛି। ଆଗକୁ ମଧ୍ୟ ଏଭଳି ବିପଦ ଆଶଙ୍କା ରହିଛି। ଫଳରେ ସବୁଦିନ ପାଇଁ ସେଠାରୁ ତୋରଣ ହଟଯାଉ ବୋଲି ବରଗଡ଼ ନାଗରିକ ମଞ୍ଚ ଦାବି କରୁଛି ବୋଲି ସରାଫ୍ କହିଥିଲେ। ଏହା ସହିତ ସହରବାସୀଙ୍କ ବହୁ ପ୍ରତୀକ୍ଷିତ ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜିରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦକୁ ଭୁଲି ଯାଇ ପ୍ରଶାସନ ଅ୍ଯଯସ୍ଥାନ ଉଚ୍ଛେଦରେ ଆଗଭର ହେବା ଘଟଣାକୁ ନିନ୍ଦା କରାଯାଇଛି। ଲଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜିରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ତୁରନ୍ତ କରା ନଗଲେ ମଞ୍ଚ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସରାଫ୍ ଚେତାବନୀ ଦେଇଛନ୍ତି। ସେହିପରି ଉଚ୍ଛେଦ ହୋଇଥିବା ଛୋଟ ଦୋକାନୀ, ଉଠା ଦୋକାନୀଙ୍କୁ ଥଇଥାନ କରିବା, କ୍ୟାନସର ହସ୍ପିଟାଲକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା, ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରହିଥିବା ସମମ୍ୟାର ସମାଧାନ, କେନାଲର ସୌନ୍ଦର୍ଯ୍ୟରଣକୁ ଅଗ୍ରାଧିକାର ଦେବା ସହିତ ଚାଷଜମିକୁ ପାଣି ପହଞ୍ଚାଇବା ବ୍ୟବସ୍ଥା କରିବାକୁ ମଞ୍ଚ ଦାବି କରିଛି। ତେବେ କୌଣସି କଳା ତାଲିକାଭୁକ୍ତ ଠିକାଦାର ଦ୍ୱାରା କେନାଲର ସୌନ୍ଦର୍ଯ୍ୟକରଣ ଚାଲିଲେ, ବରଗଡ଼ ନାଗରିକ ମଞ୍ଚ ତାକୁ ଦୃଢ଼ ବିରୋଧ କରିବ ବୋଲି ମଞ୍ଚର ସଭାପତି ସରାଫ୍ ଚେତାବନୀ ଦେଇଛନ୍ତି।
ଖବରଦାତା ସମ୍ମିଳନୀରେ ସମ୍ପାଦକ ଭବାନୀ ପ୍ରସାଦ ସାହୁ, ଉପସଭାପତି କିଶୋର ସାହୁ, ଶୟନ ପଣ୍ଡା, ଉପଦେଷ୍ଟା ସମୀର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହିତ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କରିଥିବା ବରଗଡ଼ କଲେଜ ରୋଡ୍ ବାସିନ୍ଦା ଜିତାମିତ୍ର ସାହୁଙ୍କୁ ବରଗଡ଼ ନାଗରିକ ମଞ୍ଚ ସମ୍ବର୍ଦ୍ଧିତ କରିଥିଲା।