ବିଧାୟକଙ୍କୁ ଟିକେଟ ନ ଦେବାକୁ ଦାବି

କୁଜଙ୍ଗ,୫।୪ (ମନୋଜ ପ୍ରଧାନ):ପାରାଦୀପରେ ବିଜେଡି ଟିକେଟକୁ ନେଇ ଉଠିଥିବା ଝଡ଼ ଥମିବାର ନାଁ ଧରୁନାହିଁ । ଏନେଇ ଦୀର୍ଘ ଦୁଇମାସ ହେବ ବିଜେଡିର କେତେଜଣ ଅସନ୍ତୁଷ୍ଟ କର୍ମୀ ଓ ଦଳୀୟ ସରପଞ୍ଚ ବିଧାୟକ ସମ୍ବିତ ରାଉତରାୟଙ୍କ ବିରୋଧରେ ସମାବେଶ କରିଆସୁଥିଲେ । ମାତ୍ର ବର୍ଷୀୟାନ ରାଜନେତା ତଥା ବିଧାୟକଙ୍କ ପିତା ଡାକ୍ତର ଦାମୋଦର ରାଉତଙ୍କ ଦେହାନ୍ତପରେ ସମସ୍ତ ରାଜନୈତିକ ପ୍ରକ୍ରିୟା ଠପ୍‌ ହୋଇଯାଇଥିଲା । ତାଙ୍କ ଦେହାନ୍ତର ୧୫ଦିନ ପରେ ପୁନର୍ବାର ବିଧାୟକ ବିରୋଧୀ ମେଳି ଯୋର ଧରିଛି । ଗୁରବାର କୁଜଙ୍ଗସ୍ଥିତ ବିଦ୍ୟୁଲତା ମଣ୍ଡପଠାରେ ପୂର୍ବତନ ସରପଞ୍ଚ ତଥା ଜଗତ୍‌ସିଂହପୁର ଜିଲା ବିଜେଡି ଉପସଭାପତି ସଂଗ୍ରାମ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଖବରଦାତା ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏଥିରେ କୁଜଙ୍ଗ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ସ୍ମୃତି ରଞ୍ଜନ ବେହେରା ଅଭିଯୋଗ କରିଥିଲେ ଯେ, ବହୁ କର୍ମୀଙ୍କ ସହଯୋଗରେ ସମ୍ବିତ ବିଧାୟକଭାବେ ନିର୍ବାଚିତ ହୋଇଥିଲେ । କିନ୍ତୁ ସେ କୌଣସି କର୍ମୀଙ୍କ ଦୁଃଖ ସୁଖରେ ଭାଗିହେଉନାହାନ୍ତି । ତାଙ୍କ ପରିବାରରୁ କାହାକୁ ଟିକେଟ ଦିଆ ନ ଯାଉବୋଲି ଦାବି କରିଥିଲେ । ନଚେତ୍‌ ନବୀନ ନିବାସ ଘେରାଉ କରି ବିରୋଧ କରାଯିବ ବୋଲି ବେହେରା କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି ଖବରଦାତା ସମ୍ମିଳନୀରେ ଅଗପାଳ ସରପଞ୍ଚ ବିପିନ ବିଶ୍ୱାଳ, ପଙ୍କପାଳ ସରପଞ୍ଚ ସରୋଜ ସେଠୀ, ଭୂତମୁଣ୍ଡାଇ ସରପଞ୍ଚ ରୋହିତ ଜେନା, ପୂର୍ବତନ ସରପଞ୍ଚ ଭାରତ ଭୂଷଣ ନାୟକ, ପୂର୍ବତନ ସରପଞ୍ଚ ତପନ ସାମନ୍ତରାୟ, ଅଟଳ ଦାସ, ମନୋଜ ବେହେରା, ଅଟଳ ପରିଡା, ଦୀପକ ସ୍ବାଇଁ, ସୌମ୍ୟରଞ୍ଜନ ରାଉତ, କୈଳାସ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।
ଏ ସମ୍ପର୍କରେ ବିଧାୟକ ରାଉତରାୟ କହିଛନ୍ତି, ଯେଉଁମାନେ ବିରୋଧ କରୁଛନ୍ତି ସେମାନେ ସମସ୍ତେ ଦାମବାବୁଙ୍କ ଦ୍ୱାରା ପରିଚିତ ା ସେ ମଧ୍ୟ ସମସ୍ତ କର୍ମୀଙ୍କୁ ସାଙ୍ଗରେ ନେଇ ଚାଲନ୍ତି । ଏଥିସହ କେଉଁ କ୍ଷେତ୍ରରେ ସେ କର୍ମୀମାନଙ୍କୁ ଅସହଯୋଗ କରିଛନ୍ତି ତା’ର ପ୍ରମାଣ ଦେବାକୁ ସେ କହିଥିଲେ। ଟିକେଟ ସମ୍ପର୍କରେ ବିଧାୟକ କହିଥିଲେ, ମୁଖ୍ୟମନ୍ତ୍ରୀ କାହାକୁ ଟିକେଟ ଦେବେ ନ ଦେବେ ତାହା ତାଙ୍କ ଉପରେ ନିର୍ଭର କରେ ।