ପଲ୍ଲୀକ୍ଲିନିକ ପ୍ରତିଷ୍ଠା ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର

ଭଦ୍ରକ(ସନାତନ ରାଉତ)/(ରବିନାରାୟଣ ଖିଲାର ),୧୨ା୮: ଅବସରପ୍ରାପ୍ତ ସୈନିକଙ୍କ ପରିବାରକୁ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ଭଦ୍ରକରେ ପଲ୍ଲୀକ୍ଲିନିକ ପ୍ରତିଷ୍ଠା ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭଦ୍ରକ ଏମ୍‌ପି ମଞ୍ଜୁଲତା ମଣ୍ଡଳ ଦାବିପତ୍ର ପ୍ରଦାନ କରିଛନ୍ତି। ଜିଲାର ପ୍ରାୟ ୪ଶହ ଅବସରପ୍ରାପ୍ତ ସୈନିକମାନଙ୍କ ପରିବାର ସଦସ୍ୟଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ନିମିତ ପ୍ରତିରକ୍ଷା ବିଭାଗର ଇସିଏଚଏସ ଯୋଜନାରେ ଏକ ପଲ୍ଲୀକ୍ଲିନିକ ପ୍ରତିଷ୍ଠା ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ସଂସଦ ଭବନ କାର୍ଯ୍ୟାଳୟଠାରେ ସାକ୍ଷାତ କରି ଦାବି ଜଣାଇଛନ୍ତି। ଜିଲାରେ ଇସିଏଚ୍‌ଏସ ଯୋଜନାରେ କୌଣସି ସୁବିଧା ସୁଯୋଗ ନ ଥିବାରୁ ସ୍ବାସ୍ଥ୍ୟସେବା ପାଇଁ ଶହେ କି.ମି. ଦୂର ବାଲେଶ୍ୱର ଜିଲାରେ ଥିବା ପ୍ରତିରକ୍ଷା ବିଭାଗର ବହୁ ପୁରାତନ ପଲ୍ଲୀକ୍ଲିନିକକୁ ଯିବାକୁ ପଡ଼ୁଛି। ଏହା ବ୍ୟୟବହୁଳ ହୋଇଥିବା ବେଳେ ଅନେକ ସମୟରେ ଔଷଧ ଓ ଉପଯୁକ୍ତ ଚିକିତ୍ସା ନ ପାଇ ଫେରିବାକୁ ପଡ଼ିଥାଏ। ୨୦୧୫ରେ ଆଇଏନ୍‌ଏସ ଚିଲିକା ଓ ଇସିଏଚଏସ୍‌ କେନ୍ଦ୍ରୀୟ ସଂଗଠନ ପକ୍ଷରୁ ଓଡ଼ିଶାରେ ୫ଟି ପଲ୍ଲୀକ୍ଲିନିକ ପ୍ରତିଷ୍ଠା ପାଇଁ ସୁପାରିଶ କରିଥିଲେ। ଯେଉଁଥିରେ ଭଦ୍ରକ ନାମ ମଧ୍ୟ ଉଲ୍ଲେଖ ଥିଲା। ଖୁବ୍‌ଶୀଘ୍ର ଭଦ୍ରକରେ ପଲିକ୍ଲିନିକ ପ୍ରତିଷ୍ଠା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଆଲୋଚନା ବେଳେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଉପସ୍ଥିତ ଥିଲେ। ପ୍ରଚେଷ୍ଟା ପାଇଁ ଭଦ୍ରକର ଅବସରପ୍ରାପ୍ତ ସୈନିକ ସଂଘ ଏବଂ ସେମାନଙ୍କ ପରିବାର ପକ୍ଷରୁ ଏମ୍‌ପିଙ୍କୁ କୃତଜ୍ଞତା ଜଣାଇଛନ୍ତି।