କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବଂଶପାଳ ବ୍ଲକ ଅନ୍ତର୍ଗତ ଶୁଆକାଟିରେ ଥିବା ଓଡ଼ିଶା ଖଣି ନିଗମର ଗନ୍ଧମାର୍ଦ୍ଦନ ଲୌହ ଖଣି କାର୍ଯ୍ୟ ଦ୍ବାରା ପ୍ରଭାବିତ ହେଇଥିବା କେନ୍ଦୁଝର ପୁରୁଣା ସହରବାସୀଙ୍କୁ ଓଡ଼ିଶା ଖଣି ନିଗମ ଦ୍ୱାରା କୌଣସି ସୁବିଧା ସୁଯୋଗ ଦିଆଯାଉ ନ ଥିବା ପ୍ରତିବାଦରେ ଆଜି ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ସଦର ମହକୁମାର କାଳୀ ପଡ଼ିଆଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି କ୍ଷତିଗ୍ରସ୍ତ ଅଞ୍ଚଳବାସୀ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ପ୍ରତିବାଦ ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।
ଏହି ଆନ୍ଦୋଳନରେ ଯୋଗ ଦେଇଥିବା ପୁରୁଣା ସହରର ବରିଷ୍ଠ ନାଗରିକ ନବ କିଶୋର ସାହୁ କରିଛନ୍ତି ଯେ, ଗନ୍ଧମାର୍ଦନ ଖଣି ଦ୍ୱାରା ୧୦ କିମିରୁ କମ୍ ଦୂରରେ ଅବସ୍ଥିତ କେନ୍ଦୁଝଗତ ପୁରୁଣା ସହରର ଅଧିକାଂଶ ଅଞ୍ଚଳ ପ୍ରଭାବିତ ହୋଇଥାଏ। ବିଶେଷକରି ୧,୨ ଓ ୩ ନମ୍ବର ଓ୍ବାର୍ଡର ଅଧିବାସୀମାନେ କ୍ଷତିଗ୍ରସ୍ତ ହେଉଥିଲେ ମଧ୍ୟ, ଅଧିବାସୀଙ୍କୁ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ଦିଆଯାଇଥିବା ସୁବିଧା ସୁଯୋଗ ପ୍ରଦାନ କରାଯାଇନାହିଁ।
ଏ ସମ୍ବନ୍ଧରେ ଗତ ୩ ନଭେମ୍ବର ୨୦୨୫ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ କ୍ଷତିଗ୍ରସ୍ତ ଅଧିବାସୀମାନେ ଏକ ମିଳିତ ଅଭିଯୋଗପତ୍ର ପ୍ରଦାନ କରିଥିଲେ। କିନ୍ତୁ ଅଦ୍ୟାବଧି କୌଣସି ପଦକ୍ଷେପ ନିଆଯାଇନାହିଁ । ଜିଲାପାଳ କେନ୍ଦୁଝଗଡ଼ ପୌରପାଳିକାର ନିର୍ବାହୀ ଅଧିକାରୀଙ୍କୁ ତୁରନ୍ତ ଆଶୁ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ନିର୍ବାହୀ ଅଧିକାରୀ ଏ ବିଷୟରେ ଗୁରୁତ୍ୱ ଦେଲେ ନାହିଁ କିମ୍ବା କୌଣସି ପଦକ୍ଷେପ ନେଲେ ନାହିଁ ବୋଲି ଅଭିଯୋଗ କରିଛନ୍ତି।
କ୍ଷତିଗ୍ରସ୍ତ ଅଧିବାସୀମାନଙ୍କର ଏହାମଧ୍ୟରେ ବାରମ୍ବାର ବୈଠକ ଆହୂତ ହୋଇ, କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ, ଆଜି କାଳୀ ପଡ଼ିଆଠାରୁ ଜିଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ଏକ ଶାନ୍ତିପୂର୍ଣ୍ଣ ପଦଯାତ୍ରା କରି କେନ୍ଦୁଝର ସଦର ବିଧାୟକ ତଥା ଓଡ଼ିଶାର ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଜିଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ପୁରୁଣା ସହରବାସୀଙ୍କ ସାମୁହିକ ସ୍ବାର୍ଥ ଦୃଷ୍ଟିରୁ ଦାବିମାନ ମାନ୍ୟବର ଲୋକଙ୍କ ମୁଖ୍ୟମନ୍ତ୍ରୀ ଅବିଳମ୍ବେ ପୂରଣ କରିବା ଏବଂ ଗନ୍ଧମାର୍ଦ୍ଦନ ଖଣି ପ୍ରଭାବିତ ଅଞ୍ଚଳ ଭାବରେ ପୁରୁଣା ସହରର ୧,୨ ଓ ୩ ନମ୍ବର ଓ୍ବାର୍ଡକୁ ସାମିଲ କରି ଅନ୍ୟ ଖଣି କ୍ଷତିଗ୍ରସ୍ତଙ୍କୁ ଓଏମ୍ସି ଖଣି ଓ ସରକାର ଯେଉଁ ଭଳି ସୁବିଧାମାନ ଦେଉଛନ୍ତି ସେଭଳି ସୁବିଧା ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି। ଏହି ଆନ୍ଦୋଳନ ଓ ଦାବିପତ୍ର ପ୍ରଦାନ ସମୟରେ ବରିଷ୍ଠ ନାଗରିକ ସାହୁଙ୍କ ବ୍ୟତୀତ ପୁରୁଣା ସହରର ନାଗରିକ ସତ୍ୟବ୍ରତ ପାଢ଼ୀ, ବିଶ୍ୱଜିତ ପଟ୍ଟନାୟକ, ଆଦିତ୍ୟ ବେଜ, ଜିତେନ୍ଦ୍ର କୁମାର ପତି, ଦେବେନ୍ଦ୍ର ସ୍ବାଇଁ, ପ୍ରଭୁପଦ ମିଶ୍ର, ଅନ୍ତର୍ଯ୍ୟାମୀ ପତି, ଆଶିଷ କୁମାର ଶର୍ମା,ସତ୍ୟେନ୍ଦ୍ର କର, ପ୍ରଶାନ୍ତ ଦ୍ବିବେଦୀ, ସତ୍ୟଜିତ୍ ମିଶ୍ର, ବିଶ୍ୱନାଥ ବାରିକ, ରତ୍ନାକର ମହାପାତ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ।