ଅଭାବୀ ସଂସାରର ଚାହିଦା ମେଣ୍ଟାଉଛି ପାଣି ସାରୁ

ମହାକାଳପଡ଼ା,୧୮ା୬(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ବହୁ ଅଭାବୀ ଲୋକମାନଙ୍କର ଚାହିଦା ମେଣ୍ଟାଉଛି ପାଣି ସାରୁ। ଏହି ସାରୁକୁ ଅଭାବୀ ଶ୍ରେଣୀର ଲୋକେ ମୁଖ୍ୟ ଖାଦ୍ୟ ରୂପେ ଗ୍ରହଣ କରିଥାନ୍ତି। ଏହି ପାଣି ସାରୁକୁ ସ୍ଥାନୀୟ ବ୍ୟବସାୟୀମାନେ ନିକଟ ପାରାଦୀପ ଅଞ୍ଚଳର ଅଠରବାଙ୍କୀ, ଘନଗଳିଆ, ସାର କାରଖାନା ନିକଟ ମହାନଦୀ ପାର୍ଶ୍ୱ ବଣବୁଦାରୁ ସଂଗ୍ରହ କରନ୍ତି। ସେହିପରି ବ୍ଲକର ଲୁଣା, ଗୋବରୀ, ରାମଚଣ୍ଡୀ ଗଳିଆ ନଦୀପାର୍ଶ୍ୱ ବଣବୁଦା ମୂଳେ ଏହି ସାରୁ ମିଳେ। ଏହି ସାରୁଗୁଡ଼ିକ କାଠଗଣ୍ଡି ଭଳି ଦେଖିବାକୁ ମୋଟା। ଏହାର ଫୁଲ ଖୁବ୍‌ ସ୍ବାଦିଷ୍ଠ। ଆମିଷ, ନିରାମିଷ ଆଦି ଖାଦ୍ୟ ପ୍ରସ୍ତୁତିରେ ମୁଖ୍ୟ ଭୂମିକା ତୁଲାଇଥାଏ। ଏଥିରେ ପ୍ରଚୁର ପରିମାଣରେ ଜୀବସାର ରହିଥିବାରୁ ଭିଟାମିନ ଅଭାବ ପୂରଣ କରିଥାଏ। ବ୍ୟବସାୟୀମାନେ ଏହି ପାଣି ସାରୁକୁ କିଲୋ ପ୍ରତି ୩୦ରୁ ୪୦ ଟଙ୍କାରେ ବିକ୍ରି କରିଥାନ୍ତି। ବ୍ଲକର ବଙ୍ଗୀୟ ଅଧ୍ୟୁଷିତ ଅଞ୍ଚଳର ରାମନଗର, ଖରିନାସୀ, ଜମ୍ବୁ, ବେଣାକନ୍ଧା, ଜଗରୀ ଜୋର, ତନ୍ତିଆପାଳ, ବତିଘର ଖୋଳା ହାଟ ଆଦିରେ ବହୁଳ ଭାବେ ବିକ୍ରୟ ହୋଇଥାଏ। ବିଶେଷକରି ଅଭାବୀ ଶ୍ରେଣୀର ଶ୍ରମିକମାନେ ଅଧିକ ପରିମାଣରେ କିଣ କିଣି କରିଥାନ୍ତି। ବର୍ଷା ଋତୁକୁ ଛାଡ଼ିଦେଲେ ଅବଶିଷ୍ଟ ସବୁ ଋତୁମାନଙ୍କରେ ଏହା ଉପଲବ୍ଧ ହୋଇଥାଏ। ଏହି ଗଛର ପତ୍ର, କାଣ୍ଡ, ଫୁଲ ବିଭିନ୍ନ ବ୍ୟଞ୍ଜନରେ ବ୍ୟବହାର କରାଯାଏ। ତେବେ ଏହି ଅଞ୍ଚଳର ବାଲିଆ, ଦୋରସା, ପଟୁ ମିଶ୍ରିତ ପଙ୍କୁଆ ମାଟିର ଉର୍ବରତାରେ ଖୁବ୍‌କମ୍‌ ଦିନରେ ଗଛଟି ହୃଷ୍ଟପୁଷ୍ଟ ହୋଇ ବିକ୍ରି ଉପଯୋଗୀ ହୋଇଥାଏ। ସ୍ଥାନୀୟ ଭାଷାରେ ଏହାକୁ କଚୁ ବୋଲି କୁହାଯାଇଥାଏ। ଏହି ପାଣି ସାରୁ ପ୍ରତି ଆଗ୍ରହ ପ୍ରକାଶ କରି ସ୍ଥାନୀୟ ବଙ୍ଗୀୟ ଅଧ୍ୟୁଷିତ ଅଞ୍ଚଳର ଚାଷୀମାନେ ନିଜ ବାଡି ବଗିଚା ପୋଖରୀ ହୁଡାରେ ଚାଷ କରିବା ଆରମ୍ଭ କଲେଣି। ଉଦ୍ୟାନ ବିଭାଗ ପକ୍ଷରୁ ଉପଯୁକ୍ତ ତାଲିମ, ଚାଷ ପ୍ରତି ପ୍ରୋତ୍ସାହନ ରାଶି ଯୋଗାଇ ଦେବାର ବ୍ୟବସ୍ଥା କରାଗଲେ ସ୍ଥାନୀୟ ଚାଷୀମାନେ ଆତ୍ମନିର୍ଭରଶୀଳ ହେବା ସହ ଅନେକ ଯୁବତୀଯୁବକ ସିଧାସଳଖ ଲାଭ ଉଠାଇ ପାରିବେ। ଏହି ପାଣି ସାରୁ ଚାଷ ପାଇଁ ଆମ ଅଞ୍ଚଳର ଜଳବାୟୁ ବେଶ୍‌ ଅନୁକୂଳ ବୋଲି ସାମାଜିକ କର୍ମୀ ସୁବାସ ଚନ୍ଦ୍ର ସ୍ବାଇଁ କହିଛନ୍ତି। ଏହି ପାଣି ସାରୁ ଅଧିକ ମାତ୍ରାରେ କୋଲକାତା, କାନ୍ଥି ଆଦି ସ୍ଥାନକୁ ଚାଲାଣ କରାଯାଉଛି ବୋଲି ସ୍ଥାନୀୟ ବ୍ୟବସାୟୀ କହିଛନ୍ତି। ସେଠାରେ କିଲୋ ପ୍ରତି ୧୦୦ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହେଉଛି ବୋଲି ଜଣେ ବ୍ୟବସାୟୀ କହିଛନ୍ତି।