ଅମରପାଲି, ୧୬।୭ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ନୂଆପଡା ମୌଜାରେ ନିକଟରେ ଖୋଲାଯାଇଥିବା ବିଦେଶୀ ମଦ ଦୋକାନକୁ ତୁରନ୍ତ ସ୍ଥାନାନ୍ତର କରିବା ଦାବିରେ ବୁଧବାର ସ୍ଥାନୀୟ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନେ ବୀରମହାରାଜପୁର ଉପଜିଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ଶତାଧିକ ମହିଳାଙ୍କ ସାମିଲରେ ଏକ ବିରାଟ ଶୋଭାଯାତ୍ରା ଓ ବିକ୍ଷୋଭ ରାଲି ଏହି ଦାବିକୁ ଅଧିକ ଜୋରଦାର କରିଛି।
ସୂଚନା ଅନୁଯାୟୀ, ପୂର୍ବରୁ ସୁବଳୟାର ଟିକିରାପଡା ଗାନ୍ଧୀସାହିରେ ଦୀର୍ଘ ବର୍ଷ ଧରି ବିଦେଶୀ ମଦ ଦୋକାନ ଚାଲିଆସୁଥିଲା। ଚଳିତ ବର୍ଷ ସରକାରଙ୍କ ଅନୁମତି କ୍ରମେ ନୂତନ ଲାଇସେନ୍ସଧାରୀଙ୍କ ହାତକୁ ଦୋକାନର ପରିଚାଳନା ଯାଇଥିଲା। ପୂର୍ବ ସ୍ଥାନରେ ବିଭିନ୍ନ ସାମାଜିକ ସମସ୍ୟା ଓ ଜନଅସନ୍ତୋଷ ସୃଷ୍ଟି ହେଉଥିବା ଅଭିଯୋଗ ପରେ ଦୋକାନକୁ ଟିକିରାପଡାରୁ ବୀରମହାରାଜପୁରସୁବଳୟା ମୁଖ୍ୟ ସଡ଼କ ସଂଲଗ୍ନ ନୂଆପଡା ମୌଜାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ନୂଆପଡାରେ ଦୋକାନ ଖୋଲିବା ପରେ ସ୍ଥାନୀୟ ଅଞ୍ଚଳବାସୀ, ବିଶେଷକରି ମହିଳାମାନେ, ଏହାକୁ ନେଇ ତୀବ୍ର ବିରୋଧ ପ୍ରକାଶ କରିଛନ୍ତି। ମଦ ଦୋକାନ ହେବା ଫଳରେ ଅଞ୍ଚଳର ସାମାଜିକ ପରିବେଶ ବିଗିଡ଼ିବା ସହ ମହିଳା ଓ ଛାତ୍ରୀଛାତ୍ରଙ୍କ ସୁରକ୍ଷା ଉପରେ ପ୍ରଭାବ ପଡ଼ିବ ବୋଲି ସେମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଏହି ପ୍ରତିବାଦରେ ମା’ ମହାଲକ୍ଷ୍ମୀ ମିଶନ ଶକ୍ତି, ମା’ ଭଗବତୀ, ମା’ ପାଞ୍ଚଖଣ୍ଡା, ରାଧାରାଣୀ, ବୁଢ଼ା ଭୈରବୀ ଓ ଲଙ୍କେଶ୍ୱରୀ ସ୍ବୟଂ ସହାୟକ ଗୋଷ୍ଠୀ ସମେତ ବିଭିନ୍ନ ଗୋଷ୍ଠୀର ଶତାଧିକ ସଦସ୍ୟା ବୀରମହାରାଜପୁର ଜଗନ୍ନାଥ ମନ୍ଦିର ନିକଟରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ମଦ ଦୋକାନ ବନ୍ଦ ଓ ସ୍ଥାନାନ୍ତର ଦାବିରେ ସ୍ଲୋଗାନ ଦେଇଥିଲେ। ପରେ ରାଲି ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଦାବିପତ୍ର ପ୍ରଦାନ କରିଥିଲା।
ଉପଜିଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲାପାଳ ଶୁଭମ ଶତପଥୀ ଓ ଅଜିତ ମିର୍ଧା ଦାବିପତ୍ର ଗ୍ରହଣ କରିଥିଲେ। ଶୀଘ୍ର ସମସ୍ୟାର ସମାଧାନ କରାନଗଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ମହିଳାମାନେ ସତର୍କ କରିଛନ୍ତି।
ଦାବିପତ୍ର ପ୍ରଦାନ ସମୟରେ ସୁବଳୟା ଗ୍ରାମପଞ୍ଚାୟତ ସ୍ତରୀୟ ସଂଘର ସଭାନେତ୍ରୀ ମୀରା ବାରିକ, ସମ୍ପାଦିକା ମାଧୁରୀ ମେହେର, କୃଷ୍ଣା ନାଏକ, ବିନୋଦିନୀ ମେହେର, ଗୀତା ବେହେରା, ଡାଳିମ୍ବ ନାଏକ, ସଙ୍ଗୀତା ଶତପଥୀଙ୍କ ସମେତ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ନୂଆପଡା ଗ୍ରାମର ଶତାଧିକ ମହିଳା ଉପସ୍ଥିତ ଥିଲେ।