ଜଳଯୋଗାଣ ଦାବିରେ କୃଷକଙ୍କ ଧାରଣା

କଣ୍ଟାପଡ଼ା,୨ା୧୧(ଡି.ଏନ୍‌.ଏ.): ପ୍ରତାପନଗରୀ ଜଳସେଚନ ବିଭାଗ ଫୁଲନଖରା ଡିଷ୍ଟ୍ରିବ୍ୟୁଟାରି କେନାଲ ପାର୍ଶ୍ୱରେ ଥିବା କଣ୍ଟାପଡ଼ା ଓ ଶିଶୁଆ ମୌଜାର ଶତାଧିକ ଏକର ଜମିରେ କେନାଲ ଜଳ ଅଭାବରୁ ଜମିଫାଟି ଆଁ କରିଛି। ଫଳରେ ଜଳ ଅଭାବରୁ ଏଠାରେ ଏକପ୍ରକାର ମରୁଡ଼ି ପରିସ୍ଥିତି ଉପୁଜିଛି। ଚାଷଜିମିକୁ ତୁରନ୍ତ କେନାଲ ଜଳ ଯୋଗାଣ ଦାବିରେ କଣ୍ଟାପଡ଼ା ଗ୍ରାମର ନବଘନ ସ୍ବାଇଁ, ରଘୁନାଥ ସ୍ବାଇଁ, ଧରଣୀଧର ସ୍ବାଇଁ, ଦେବେନ୍ଦ୍ର ସାହୁ, ଅନିରୁଦ୍ଧ ସ୍ବାଇଁ, ବେଣୁଧର ସ୍ବାଇଁ, ବୃନ୍ଦାବନ ବାରିକ, ପାଣ୍ଡବ ସ୍ବାଇଁ,ଲୋକନାଥ ସାହୁ, ଶରତ ସ୍ବାଇଁ ପ୍ରମୁଖ ଚାଷୀମାନେ ବୁଧବାର କଣ୍ଟାପଡ଼ା ବ୍ଲକ ସମ୍ମୁଖରେ ଧାରଣା ଦେଇଥିଲେ। କଣ୍ଟାପଡ଼ା ବ୍ଲକ ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ ଖବର ପାଇ ପ୍ରତାପନଗରୀ ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ଅଜୟ ବେହେରା ଧାରଣା ସ୍ଥଳରେ ପହଞ୍ଚି ଆସନ୍ତା ୨ ଦିନ ଭିତରେ କେନାଲ ପାଣି ପହଞ୍ଚାଇ ଦେବା ପାଇଁ ପ୍ରତିଶ୍ରୁତି ଦେବାରୁ ଚାଷୀମାନେ ଆନ୍ଦୋଳନରୁ ନିବୃତ୍ତ ରହିଥିଲେ। ଏ ପର୍ଯ୍ୟନ୍ତ କ’ଣ ପାଇଁ ଚାଷଜମିକୁ କେନାଲ ଜଳ ଯୋଗାଇ ଦିଆଯାଇ ନାହିଁ ବୋଲି ପଚାରିବାରୁ ସହକାରୀ ଯନ୍ତ୍ରୀ ଅଜୟ ବେହେରା କହିଥିଲେ, କେନାଲରେ ଉପରମୁଣ୍ଡରୁ ପର୍ଯ୍ୟାପ୍ତ ପରିମାଣର ପାଣି ଆସୁ ନ ଥିବାରୁ ତଳମୁଣ୍ଡକୁ ପାଣି ପହଞ୍ଚାଇବା ସମ୍ଭବପର ନୁହେଁ। ତେବେ ଆସନ୍ତା ୨ ଦିନ ଭିତରେ ଯନ୍ତ୍ରୀ ମହାଶୟ କିପରି ଜମିକୁ ଜଳ ଯୋଗାଇବେ ବୋଲି ପ୍ରତିଶ୍ରୁତି ଦେଲେ ତାହା ସନ୍ଦେହଘେରରେ ରହିଛି।