ରୁପ୍ରା ରୋଡ଼ ରେଳ ଷ୍ଟେଶନରେ ଟ୍ରେନ ରହଣି ପାଇଁ ତେଜୁଛି ଦାବି: ପ୍ରତିଶ୍ରୁତି ଦେଲେ ରେଳ ମହାପ୍ରବନ୍ଧକ

କେସିଙ୍ଗା/ନର୍ଲା, ୨୯।୭(ତୁମେଶ୍ୱର ସାହୁ/ସନ୍ତୋଷ ପାତ୍ର): କୋଭିଡ ସମୟରେ ପୂର୍ବତଟ ରେଳବାଇର ସମ୍ବଲପୁର ଡିଭିଜନ ଅଧୀନ ରୁପ୍ରାରୋଡ଼ ରେଳ ଷ୍ଟେଶନରେ ଦ୍ରୁତଗାମୀ ଟ୍ରେନ ଗୁଡିକ ରହୁଥିଲା। ଏବେ କିନ୍ତୁ ଏହା ବନ୍ଦ ରହିଛି। ବହୁବାର ରେଳ ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପୁନଃଚାଲୁ କରିବା ରୁପ୍ରା ରୋଡ଼ ରେଳ ସୁରକ୍ଷା କମିଟି ଦାବି କରିଥିଲେ। କିନ୍ତୁ ଆଜିକୁ ୬-୭ବର୍ଷ ବିତିଗଲାଣି ରୁପ୍ରା ରୋଡ଼ରେ ଦ୍ରୁତଗାମୀ ଟ୍ରେନ ରହୁ ନ ଥିବାରୁ ଯାତ୍ରୀମାନେ ବହୁତ ହଇରାଣ ହରକତ ହେଉଛନ୍ତି। ଏ ନେଇ ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ସମେତ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ନେତୃତ୍ୱରେ ଭୁବନେଶ୍ୱରସ୍ଥିତ ରେଳ ବିଭାଗ ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।
ରୁପ୍ରା ରୋଡ଼ ନର୍ଲା ଅଞ୍ଚଳର ଜଣାଶୁଣା ଏକ ସହରରେ ଜନଗହଳି ହେବା ସହ ଏହି ଷ୍ଟେଶନରୁ ରାୟପୁର, ଦିଲ୍ଲୀ, ନାଗପୁର, ମୁମ୍ବାଇ, ବିଶାଖାପାଟଣା, ଚେନ୍ନାଇ, ଆଦି ଦୂର ଷ୍ଟେଶନକୁ ଏହି ଷ୍ଟେଶନରୁ ଯାତ୍ରୀମାନେ ସୁରୁଖୁରୁରେ ଯାଉଥଲେ। କିନ୍ତୁ ଦ୍ରୁତଗାମୀ ଟ୍ରେନ ଏହି ଷ୍ଟେଶନ ରହୁ ନ ଥିବାରୁ ୩୦ କିମି ଦୂର କେସିଙ୍ଗାକୁ ଯାଇ ଟ୍ରେନରେ ଯାତ୍ରୀମାନେ ଦୂର ଜାଗାକୁ ଯାଇ ଥାଆନ୍ତି। ଏହି ଷ୍ଟେଶନର ଜଗନ୍ନାଥ ମନ୍ଦିର ସମ୍ମୁଖ ରେଳ ଫାଟକରେ ଅଣ୍ଡରବ୍ରିଜ ନିର୍ମାଣ ଦାବି କରିବା ସହ ଟ୍ରେନ ରହଣି ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ। କରୋନା ପୂର୍ବରୁ ରୁପ୍ରାରୋଡ଼ ଷ୍ଟେଶନରେ ସମତା, ତିରୁପତି, ଏର୍ନାକୁଲମ, ବୋକାରୋ- ମାଡ୍ରାସ ଓ ଦୁର୍ଗ-ଜଗଦଲପୁର ସମେତ ଅନେକ ଏକ୍ସପ୍ରେସ ଟ୍ରେନ ରହଣି କରୁଥିଲା। ଏଥିରୁ ଛାତ୍ରଛାତ୍ରୀ, ରୋଗୀ, ବ୍ୟବସାୟୀ, ଶ୍ରମିକ, ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ଉପକୃତ ହେଉଥିଲେ। କିନ୍ତୁ କରୋନା ଦୀର୍ଘ ୬-୭ବର୍ଷ ବିତିଯାଇଥିଲେ ମଧ୍ୟ ଏହି ଟ୍ରେନ ଗୁଡିକ ରହୁ ନାହିଁ। ଯାହାଫଳରେ ଯାତ୍ରୀମାନେ ପ୍ରାୟ ୩୦ କିଲୋମିଟର ଦୂର କେସିଙ୍ଗା ଯାଇ ଟ୍ରେନ ଧରିବାକୁ ପଡୁଛି।

ଫଳରେ ସମୟ ଓ ଅର୍ଥର ଅପଚୟ ହେଉଥିବାରୁ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ ବଢ଼ିଛି। ରେଳ ପ୍ରବନ୍ଧକଙ୍କୁ ଏକ ଦାବି ରେ ଉଲ୍ଲେଖ କରିଛନ୍ତି ଯେ, ଜୁଲାଇ ଶେଷ ସୁଦ୍ଧା ଦାବି ପୂରଣ ନ ହେଲେ ଅଗଷ୍ଟ ୧ରେ ରେଳ ରୋକ ଆନ୍ଦୋଳନ କରାଯିବ ବୋଲି
ରୁପ୍ରା ରୋଡ଼ ରେଳ ସୁରକ୍ଷା କମିଟି ଚେତାବନୀ ଦେଇଛନ୍ତି। ଏହି ଦାବି ପତ୍ର ଦେବା ସମୟରେ ଦିନେଶ ଅଗ୍ରୱାଲ, ପୁଷ୍ପକ ମହାନ୍ତି, ସୁମିତ ଅଗ୍ରୱାଲ, ରାଜେଶ ଦତ୍ତା ଓ ନିରଜ ଶର୍ମା ପ୍ରତିନିଧି ଦଳରେ ସାମିଲ ଥିଲେ। ନର୍ଲା ବିଧାୟିକା ମନୋରମା ମହାନ୍ତି ରେଳ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱଲାଙ୍କ ସହ ଦୀର୍ଘ ପ୍ରାୟ ୪୫ ମିନିଟ ସମୟ ଧରି ଆଲୋଚନା କରିଥିଲେ। ମହାପ୍ରବନ୍ଧକ ଟ୍ରେନ ରହଣି ପ୍ରସଙ୍ଗରେ ଏକ ମାସ ମଧ୍ୟରେ ବିଚାର କରାଯିବ ବୋଲି କହିଥିବା ସହ ଅଣ୍ଡରବ୍ରିଜ ନିର୍ମାଣ ପାଇଁ ଶୀଘ୍ର ଯାଞ୍ଚକାରୀ ଦଳ ପଠାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

 

Dharitri – Odisha’s No.1 Odia Daily