Categories: ବାଣିଜ୍ୟ

ପୂର୍ବାପେକ୍ଷା ଟ୍ରାକ୍ଟର ଚାହିଦା ବଢୁଛି: ସଞ୍ଜିତ କୁମାର

କୃଷି ପ୍ରଧାନ ଦେଶ ଭାରତରେ ବୈଷୟିକ ଜ୍ଞାନକୌଶଳ ଉପଯୋଗ କରାଯାଉଥିବାରୁ ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି ପାଉଛି। କୃଷି ଯନ୍ତ୍ରପାତି ଭାବେ ଟ୍ରାକ୍ଟରର ସବୁଠାରୁ ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା। ବର୍ତ୍ତମାନ ଏ କ୍ଷେତ୍ରରେ ଟ୍ରାକ୍ଟରକୁ ପ୍ରାଥମିକତା ଦିଆଯାଉଛି ବୋଲି କହିଛନ୍ତି ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ର (ଫାର୍ମ ଡିଭିଜନ), ଓଡ଼ିଶା ଏରିଆ ମ୍ୟାନେଜର ସଞ୍ଜିତ କୁମାର। ଟ୍ରାକ୍ଟର ବ୍ୟବହାର ଫଳରେ ସମୟ ବଞ୍ଚିବା ସହ ସ୍ବଳ୍ପ ମୂଲ୍ୟରେ ଚାଷୀର ଚାଷ କାର୍ଯ୍ୟ ଅନେକାଂଶରେ ହୋଇଯାଉଛି। ଟ୍ରାକ୍ଟର କମ୍ପାନୀଗୁଡିକ ନୂଆ ଜ୍ଞାନକୌଶଳରେ ନିର୍ମିତ ବିଭିନ୍ନ ବର୍ଗର ଟ୍ରାକ୍ଟର ବଜାରରେ ଉପଲବ୍ଧ କରାଉଛନ୍ତି। ଓଡ଼ିଶା ବଜାରରେ ମହିନ୍ଦ୍ରା ଟ୍ରାକ୍ଟରର ଚାହିଦା ଏବଂ ଅନ୍ୟ ଯୋଜନା ସମ୍ପର୍କରେ କୁମାରଙ୍କ ସହ ଧରିତ୍ରୀର ଆଳାପ।

ଓଡ଼ିଶା ବଜାରକୁ କିପରି ଦେଖୁଛନ୍ତି। ଏ ନେଇ କେତେ ଆଶାବାଦୀ ?
ଓଡ଼ିଶା ହେଉଛି ଆମ ପାଇଁ ଏକ ପ୍ରମୁଖ ବଜାର। ଦୀର୍ଘ ବର୍ଷ ହେବ ଏଠାରେ ଆମେ ୧ ନମ୍ବର ଟ୍ରାକ୍ଟର ବିକ୍ରେତା ଭାବେ ସୁନାମ ଅର୍ଜନ କରିଛୁ। ଓଡ଼ିଶାରେ ଖଣି ଓ ଶିଳ୍ପ ସଂଖ୍ୟା ବୃଦ୍ଧି ପାଉଛି। ଟ୍ରାକ୍ଟରର ଚାହିଦା ମଧ୍ୟ ବଢ଼ିବାରେ ଲାଗିଛି। କୃଷି ପାଇଁ ବର୍ତ୍ତମାନ ଟ୍ରାକ୍ଟରର ଆବଶ୍ୟକତା ସର୍ବାଧିକ ରହିଛି। କୃଷି ବାଦ୍‌ ଟ୍ରାକ୍ଟରକୁ ମଧ୍ୟ ଅନ୍ୟ କାର୍ଯ୍ୟରେ ବ୍ୟବହାର କରାଯାଉଛି। ଫଳରେ ପ୍ରତିବର୍ଷ ଓଡ଼ିଶା ବଜାରରେ ମହିନ୍ଦ୍ରା ଟ୍ରାକ୍ଟରର ଚାହିଦା ବଢୁଛି। ଆଗାମୀ ଦିନରେ ଏହା ଆହୁରି ବଢ଼ିବ ବୋଲି ଆମେ ଆଶାବାଦୀ।

ଜିଏସ୍‌ଟି ଲାଗୁହେବା ପରେ ବଜାରକୁ କିପରି ଦେଖୁଛନ୍ତି। ଏହାଦ୍ୱାରା କ’ଣ ଲାଭ ମିଳିଛି?
ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଲାଗୁ ହେବାଠାରୁ ବଡ଼ ବଡ଼ ବ୍ୟବସାୟିକ ଅନୁଷ୍ଠାନ ପାଇଁ ଏହା ଏକ ବରଦାନ ହୋଇଛି। ଏହା ପୂର୍ବରୁ ଅନେକ ପ୍ରକାର ଟିକସ ଦେବାକୁ ପଡୁଥିଲା। ବର୍ତ୍ତମାନ ସେସବୁ ଆଉ ଦେବାକୁ ପଡୁନାହିଁ। ଆମଦାନୀ କ୍ଷେତ୍ରରେ ମଧ୍ୟ ଆଉ ସମସ୍ୟା ହେଉନାହିଁ। ବ୍ୟବସାୟ ଓ ବ୍ୟବସାୟୀଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଉଛି। ଆଗରୁ ସବୁ ପ୍ରକାର ଟିକସକୁ ମିଶାଇଲେ ବର୍ତ୍ତମାନଠାରୁ ଅଧିକ ରହୁଥିଲା। ଜିଏସ୍‌ଟି ହେବା ଦ୍ୱାରା ମାତ୍ର ୧୨% ଟିକସ ଦେବାକୁ ପଡୁଛି। ଏହାଦ୍ୱାରା ଉଭୟ ଉପତ୍ାଦନକାରୀ ଓ ଉପଭୋକ୍ତାଙ୍କ ମଧ୍ୟରେ ଚାହିଦା ଓ କାରବାର ବୃଦ୍ଧିରେ ସହାୟକ ହେଉଛି।

ବ୍ୟବସାୟ ଉପରେ କରୋନା କିପରି ପ୍ରଭାବ ପକାଇଛି। ପ୍ରଥମ ଲହର ଅପେକ୍ଷା ୨ୟ ଲହରକୁ କିପରି ସାମ୍ନା କରୁଛନ୍ତି?
୨୦୧୯-୨୦ ଆର୍ଥିକ ବର୍ଷ ଶେଷ ଆଡ଼କୁ କୋଭିଡ୍‌ ସଂକ୍ରମଣର ପ୍ରଭାବ ପରିଲକ୍ଷିତ ହୋଇଥିଲା। କରୋନା ନିୟନ୍ତ୍ରଣ ଲାଗି ସରକାର ସାରା ଦେଶରେ କଟକଣା ଜାରି କଲେ। କାରଖାନା ଓ ଶୋ’ରୁମ୍‌ ବନ୍ଦ ରହିବା ଯୋଗୁ କମ୍ପାନୀ ବ୍ୟାପକ କ୍ଷତି ସହିଛି। ମହାମାରୀ ଯୋଗୁ ସବୁ ବର୍ଗ ଆଶଙ୍କା ମଧ୍ୟରେ ରହିଛନ୍ତି। ପ୍ରଥମ ଲହର ପ୍ରାୟ ସବୁ କ୍ଷେତ୍ରକୁ କ୍ଷତି ପହଞ୍ଚାଇଛି। ପ୍ରଥମ ଅପେକ୍ଷା ୨ୟ ଲହରରେ ସରକାର ନିୟମରେ ବିଭିନ୍ନ ପରିବର୍ତ୍ତନ ସହ କୃଷି ଓ ଆନୁଷଙ୍ଗିକ ସମସ୍ତ କ୍ଷେତ୍ରକୁ ଖୋଲା ରଖିଥିଲେ। ଗାଡ଼ି ପଞ୍ଜୀକରଣ ବନ୍ଦ ଥିବାରୁ ସମସ୍ୟା ସୃଷ୍ଟି ହୋଇଥିଲା। ବିକ୍ରି ସୁଯୋଗ ଥିଲେ ମଧ୍ୟ ପଞ୍ଜୀକରଣ ହେଉ ନ ଥିବାରୁ ସ୍ଥିତି ବିଗିଡିଯାଇଥିଲା। ପ୍ରଥମ ଲହରକୁ ସାମ୍ନା କରିବା ପାଇଁ ସମୟ ନ ଥିବା ବେଳେ ପ୍ରସ୍ତୁତ ମଧ୍ୟ ନ ଥିଲୁ। କିନ୍ତୁ ୨ୟ ଲହର ପାଇଁ ଆମେ ପ୍ରସ୍ତୁତି ସହ ଗ୍ରାହକଙ୍କୁ ଆବଶ୍ୟକ ସେବା ଯୋଗାଇ ଦେଇ ଆସିଛୁ।

ଆଗକୁ କ’ଣ ସବୁ ଯୋଜନା ଅଛି?
ଓଡ଼ିଶାର ୩୦ ଜିଲାରେ କମ୍ପାନୀର କାରବାର ଭଲ ରହିଛି। ଏହାର ୨ଟି ଷ୍ଟକ୍‌ୟାର୍ଡ ସାଙ୍ଗକୁ ୩୫ଟି ସହଯୋଗୀ ଡିଲରଙ୍କ ଜରିଆରେ ବହୁ ଗ୍ରାହକଙ୍କୁ ଟ୍ରାକ୍ଟର ଯୋଗାଇ ଦିଆଯାଉଛି। ଓଡ଼ିଶାରେ ମହିନ୍ଦ୍ରା ଏସ୍‌ପି ପ୍ଲସ୍‌, ମହିନ୍ଦ୍ରା ଜିଭା ଓ ମହିନ୍ଦ୍ରା ଏକ୍ସପି ପ୍ଲସ୍‌ର ଚାହିଦା ଅଧିକ ରହିଛି। ବର୍ତ୍ତମାନ କୃଷି ପ୍ରତି ଲୋକଙ୍କର ଆଗ୍ରହ ବଢୁଥିବାରୁ ଟ୍ରାକ୍ଟର ବଜାରରେ ମଧ୍ୟ ଉସତ୍ାହ ଦେଖାଦେଇଛି। ଓଡ଼ିଶାରେ ୩୦% ରୁ ଊର୍ଦ୍ଧ୍ୱ ବଜାର ଅଂଶ ହାସଲ କରିଛୁ। ବାର୍ଷିକ ୩୦୦ କୋଟିର କାରବାର ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି।

 

ଗ୍ରାହକଙ୍କୁ କ’ଣ ସୁବିଧା ଓ ସହାୟତା ଦିଆଯାଉଛି?
ସରକାର ବିଭିନ୍ନ ପ୍ରକାର ସହାୟତା କୃଷକଙ୍କୁ ପ୍ରଦାନ କରୁଛନ୍ତି। ବିଭିନ୍ନ ସଂସ୍ଥା ଜରିଆରେ ଚାଷୀଙ୍କୁ ସବ୍‌ସିଡି ସହାୟତା ମଧ୍ୟ ମିଳୁଛି। ଗ୍ରାହକ ସରକାରୀ ସୁବିଧାର ଲାଭ କିଭଳି ନେଇ ପାରିବେ ସେ ନେଇ ସଚେତନତା ସୃଷ୍ଟି କରୁଛୁ। ବିକ୍ରି ପରବର୍ତ୍ତୀ ସେବା ମଧ୍ୟ ଯୋଗାଇ ଦେଉଛୁ। ଗ୍ରାହକଙ୍କୁ ସହାୟତା କଲେ କାରବାର ବୃଦ୍ଧି ପାଇବ ବୋଲି ଆମେ ବିଶ୍ୱାସ ରଖିଛୁ। କମ୍ପାନୀ ପକ୍ଷରୁ ‘ଏମ୍‌ ସୁରକ୍ଷା’ ସୁବିଧା ସବୁ ଗ୍ରାହକଙ୍କୁ ପ୍ରଦାନ କରାଯାଉଛି। ଗ୍ରାହକଙ୍କୁ ଅଗ୍ରାଧିକାର ଦେଇ କମ୍ପାନୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥାଏ।

ସରକାରଙ୍କଠାରୁ କମ୍ପାନୀ କ’ଣ ଆଶା କରୁଛି?
ଗୋଟିଏ ସଂସ୍ଥା ବା କମ୍ପାନୀ ସରକାରଙ୍କ ସହଯୋଗ ବିନା କିଛି କରିପାରିବ ନାହିଁ। ବର୍ତ୍ତମାନ ପୁରୁଣା ଦରରେ ସରକାରଙ୍କୁ ସହାୟତା ଯୋଗାଇ ଦେବା କଷ୍ଟକର। କେନ୍ଦ୍ର ସରକାର ତେଲ ଠାରୁ ଆରମ୍ଭକରି ଷ୍ଟିଲ୍‌ ଓ ବିଭିନ୍ନ ଯନ୍ତ୍ରପାତିର ଦର ବଢ଼ାଇଛନ୍ତି। ରାଜ୍ୟ ସରକାର ମଧ୍ୟ ସେମାନଙ୍କର ସବ୍‌ସିଡି ଓ ବକେୟା ଠିକ୍‌ ସମୟରେ ପୈଠ ନ କରିବା ଯୋଗୁ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି। ସରକାର ଏଭଳି ଘଟଣାକୁ ଗୁରୁତ୍ୱର ସହ ଗ୍ରହଣକରି ସହଯୋଗ ପ୍ରଦାନ କଲେ ଭଲ ହୁଅନ୍ତା।

– ସାକ୍ଷାତ୍‌କାର: ଅଭୟ ଦାଶ

Share