ବଙ୍ଗଳାଗୁଡ଼ାକୁ ରାଜସ୍ବ ଗାଁର ମାନ୍ୟତା ଦାବି

ତେନ୍ତୁଳିଖୁଣ୍ଟି, ୧୦।୨(ଡି.ଏନ୍‌.ଏ.):ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚା ଗାଁ ପଞ୍ଚାୟତର ବଙ୍ଗଳାଗୁଡ଼ାକୁ ରାଜସ୍ବ ଗାଁର ମାନ୍ୟତା ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ଜିଲାପାଳ କମଳ ଲୋଚନ ମିଶ୍ରଙ୍କୁ ଭେଟି ସେମାନେ ଏକ ଦାବିପତ୍ର ଦେଇଛନ୍ତି।
ବଙ୍ଗଳାଗୁଡ଼ା ଗ୍ରାମରେ ତିନୋଟି ୱାର୍ଡ ରହିଛି। ଗାଁ ଭିତରେ ୩ଟି ଅଙ୍ଗନଓ୍ବାଡି କେନ୍ଦ୍ର ରହିଛି। ପ୍ରାୟ ୮୭୧ ଭୋଟର ରହିଛନ୍ତି। ୫ ଶହ ଜନସଂଖ୍ୟା ଥିବା ଗ୍ରାମ ରାଜସ୍ବ ଗ୍ରାମର ମାନ୍ୟତା ପାଉଥିବାବେଳେ ସବୁଦୃଷ୍ଟିରୁ ଯୋଗ୍ୟତା ଥାଇ ବଙ୍ଗଳାଗୁଡ଼ାବାସୀ ଏବେ ଯାଏ ମଞ୍ଚାଗାଁର ପଡ଼ା ଗ୍ରାମଭାବେ ରହିଥିବା ଗ୍ରାମବାସୀ କହିଛନ୍ତି। ଏଥିପାଇଁ ବହୁ ସରକାରୀ ଯୋଜନାର ଫାଇଦା ପାଇବାରୁ ବଞ୍ଚତ୍ତ ହେଉଛୁ। ବିଶେଷ ଭାବେ ଯୋଜନା ପ୍ରଣୟନ ତଥା ହିତାଧିକାରୀ ନିର୍ଦ୍ଧାରଣ ଗ୍ରାମସଭାରେ ପାତରଅନ୍ତର ଶିକାର ହେଉଛୁ ବୋଲି ହେଉଥିବା ଗ୍ରାମବାସୀ କହିଛନ୍ତି। ଗାଁ କଲ୍ୟାଣ ସମିତି ଗଠନରେ ମଧ୍ୟ ଉଚିତ ନ୍ୟାୟ ମିଳୁନାହିଁ। ବଙ୍ଗଳାଗୁଡ଼ାଠାରୁ ସାନ ଗାଁ ଦାଣ୍ଡୁଗୁଡ଼ା ରାଜସ୍ବ ଗ୍ରାମ ହୋଇଥିବାରୁ ସେହି ଗ୍ରାମ ନାମରେ ଗାଁ କଲ୍ୟାଣ ସମିତି ହେଉଛି। ରାଜ୍ୟ ସରକାର ନୂତନ ଭାବେ ରାଜସ୍ବ ଗ୍ରାମ ଘୋଷଣା କରିବାକୁ ନିଷ୍ପତ୍ତି ନେଇଛନ୍ତି। ମଞ୍ଚାଗାଁ ରାଜସ୍ବ ସର୍କଲର ଅଳଚିଆଗୁଡାକୁ ନେଇ ସର୍ଭେ ହେଉ ଥିବା ବେଳେ ବଙ୍ଗଳାଗୁଡା ଗ୍ରାମକୁ ରାଜସ୍ବ ଗ୍ରାମ ମାନ୍ୟତା ପାଇଁ ବିଚାରକୁ ନିଆ ଯାଇ ନ ଥିବାରୁ ଗ୍ରାମବାସୀ ସଭିଏଁ ଦସ୍ତଖତ ଅଭିଯାନ କରି ଜିଲାପାଳଙ୍କୁ ରାଜସ୍ବ ଗ୍ରାମ ମାନ୍ୟତା ପାଇଁ ନିବେଦନପତ୍ର ଦେଇଛନ୍ତି। ରାଜସ୍ବ ଗ୍ରାମ ମାନ୍ୟତା ପାଇଁ ଆବଶ୍ୟକ ସରକାରୀ ପ୍ରକ୍ରିୟା କରିବେ ବୋଲି ଜିଲାପାଳ ପ୍ରତିଶ୍ରୁତି ଦେଇଛନ୍ତି। ସନ୍ଦୀପ କର୍କରା, ପ୍ରଫୁଲ୍ଲ ହରିଜନ, ମୁରଲୀଧର ନାୟକ, ପ୍ରଶାନ୍ତ ନାୟକ, କିଶୋର ନାୟକ ପ୍ରମୁଖ ୫୮୭ ଗ୍ରାମବାସୀଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ଜିଲାପାଳଙ୍କୁ ଦେଇଥିଲେ।