କେସିଙ୍ଗା, ୮ା୫ (ତୁମେଶ୍ୱର ସାହୁ)- ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କାଣ୍ଡେଲ ରୋଡ୍ ଷ୍ଟେଶନରେ ବିଭିନ୍ନ ସମସ୍ୟା ଯୋଗୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ଲାଟଫର୍ମ ୧, ୨, ୩ ଓ ୪ରେ ପାନୀୟଜଳ ଷ୍ଟାଣ୍ଡପୋଷ୍ଟ ଭଗ୍ନ ଅବସ୍ଥାରେ ପଡିରହିଛି। ପ୍ରବଳ ଗ୍ରୀଷ୍ମପ୍ରବାହ ସମୟରେ ଯାତ୍ରୀମାନେ ପାନୀୟଜଳ ପାଇଁ ଡହଳବିକଳ ହୋଇଥାନ୍ତି। ଷ୍ଟେଶନରେ କୌଣସି ଦୋକାନ ନ ଥିବାରୁ ପାଣି ବୋତଲ ମିଳି ନ ଥାଏ। ପ୍ଲାଟଫର୍ମ ୧,୨ରେ ଥିବା ଶୌଚାଳୟ ଦୀର୍ଘଦିନ ଧରି ଭଙ୍ଗା ଅବସ୍ଥାରେ ପଡି ରହିଛି। ଫଳରେ ମହିଳା ଓ ଯୁବତୀମାନେ ବହୁ ହଇରାଣ ହୋଇଥାନ୍ତି। ଆବଶ୍ୟକତା ଅନୁସାରେ ବିଦ୍ୟୁତ୍ ସଂଯୋଗ ନ ଥିବାରୁ ଯାତ୍ରୀମାନେ ରାତ୍ରି ସମୟରେ ହଇରାଣ ହୋଇଥାନ୍ତି। ସମ୍ବଲପୁର ଡିଭିଜନ ଡ଼ିଆର୍ଏମ୍ ଏହି ସବୁ ସମସ୍ୟା ଯଥାଶୀଘ୍ର ସମାଧାନ କରିବା ପାଇଁ ଯାତ୍ରୀମାନେ ଦାବି ଜଣାଇଛନ୍ତି।