ତାତିଲେ ଗାଁ ସାଥୀ, ପଞ୍ଚାୟତିରାଜ ପ୍ରମୁଖ ଶାସନ ସଚିବଙ୍କୁ ହଟାଇବା ଲାଗି ଦାବି

କେନ୍ଦୁଝର,୩୦ା୯(ସ୍ବ.ପ୍ର.): ରାଜ୍ୟପାଳଙ୍କୁ ବେଖାତିର କରି ଗାଁ ସାଥୀଙ୍କ ପାଇଁ ନକାରାତ୍ମକ ଚିଠି କରିଥିବା ପଞ୍ଚାୟତ ବିଭାଗର ପ୍ରମୁଖ ଶାସନ ସଚିବ ଆଇଏଏସ ଡି.କେ. ସିଂଙ୍କ ବିରୋଧରେ ଗାଁ ସାଥୀ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି କାର୍ଯ୍ୟାନୁଷ୍ଠାନ ଦାବି କରିଛି। ସଂପୃକ୍ତ ଅଧିକାରୀ ଗତ ୭ ବର୍ଷ ହେଲା ଗାଁସାଥୀଙ୍କୁ ବିଭିନ୍ନ ପ୍ରକାରର ହଇରାଣ ହରକତ କରିଥିବା ଅଭିଯୋଗ କରିଛନ୍ତି ା ଚଳିତ ବର୍ଷ ଅଗଷ୍ଟ ୧୯ରେ ଚିଠି ସଂଖ୍ୟା ୧୩୦୬୫ରେ ଓଡ଼ିଶାର ସମସ୍ତ ଗାଁରେ ସ୍ବୟଂ ସହାୟକ ଗୋଷ୍ଠୀରୁ ୨ଜଣ ଲେଖାଏ ମହିଳାଙ୍କୁ ଗାଁ ସାଥୀ ଭାବେ ପରିଚିତ କରିବାକୁ ଚେଷ୍ଟା କରିଥିଲେ ା ଯାହାକି ସମ୍ପୂର୍ଣ୍ଣ ବେଆଇନ ବୋଲି ସେମାନେ କହିଛନ୍ତି ା ଏହି ଆଦେଶକୁ ଚ୍ୟାଲେଞ୍ଜ କରି ସେମାନେ ଉଚ୍ଚ ନ୍ୟାୟାଳୟରୁ ରହିତାଦେଶ ଆଣିଥିଲେ ହେଁ ଉକ୍ତ ଆଦେଶ କାର୍ଯ୍ୟକାରୀ ନ କରିବାକୁ ସମସ୍ତ ଜିଲାକୁ ଭିତିରିଆ ନିର୍ଦ୍ଦେଶ ଦେଇଥିବା ସଂଘ ଅଭିଯୋଗ କରିଛି ା ପୂର୍ବ ଗାଇଡ୍‌ଲାଇନ ନ ମାନି ରାଜ୍ୟପାଳଙ୍କ ବିନା ଅନୁମୋଦନରେ ନୂତନ ଗାଇଡ୍‌ଲାଇନ ଲାଗୁ କରିଥିବାରୁ ଘୋର ବିରୋଧ କରି ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇ ରହିତାଦେଶ ଆଣିଥିଲେ। ଏଣୁ ଏଭଳି ଅଧିକାରୀଙ୍କୁ ତୁରନ୍ତ ହଟାଇବା ପାଇଁ ଗାଁ ସାଥୀମାନେ ବୁଧବାର ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।