ସ୍ଥାୟୀ କର୍ମଚାରୀ ମାନ୍ୟତା ଦାବି ତେଜିଲା

ବଲାଙ୍ଗୀର ଅଫିସ, ୧୫ା୧୧: କିଛି ଦିନ ତଳେ ରାଜ୍ୟ ସରକାର ସବୁ ପ୍ରକାର ଅସ୍ଥାୟୀ ଚାକିରୀର ବିଲୁପ୍ତି ଘଟିଲା ବୋଲି ଘୋଷଣା କରିଥିଲେ। ସରକାରଙ୍କ ଏଭଳି ଘୋଷଣା ସତ୍ତ୍ୱେ ଏବେବି ଲକ୍ଷାଧିକ ସଂଖ୍ୟାରେ ରାଜ୍ୟର ବିଭିନ୍ନ ବିଭାଗରେ ଅସ୍ଥାୟୀ କର୍ମଚାରୀ କାର୍ଯ୍ୟରତ ଅଛନ୍ତି। ସେମାନେ ଦଶନ୍ଧି ଦଶନ୍ଧି ଧରି ଅସ୍ଥାୟୀ ଚାକିରୀରେ କାମ କରୁଛନ୍ତି। ରାଜ୍ୟ ସରକାର କରିଥିବା ସ୍ଥାୟୀ ଚାକିରି ଘୋଷଣାର କୌଣସି ଲାଭ ଏମାନେ ପାଇପାରି ନାହାନ୍ତି। ସବୁ ପ୍ରକାର କାର୍ଯ୍ୟଦକ୍ଷତା ଥିବା ସତ୍ତ୍ୱେ ସ୍ବଳ୍ପ ଦରମା ଏବଂ ଯାବତୀୟ ଅସୁରକ୍ଷା ଭିତରେ ଆଉଟସୋର୍ସିଂ କର୍ମଚାରୀ କାମ କରୁଛନ୍ତି। ଏଣୁ ସେମାନେ ଚାକିରୀକୁ ସ୍ଥାୟୀ କରିବା ଦାବିରେ ରାଜ୍ୟ ସ୍ତରରେ ଆନ୍ଦୋଳନକୁ ଓହ୍ଲାଇବାର ନିଷ୍ପତ୍ତି ନେଇଥିଲେ। ସୋମବାରଠାରୁ ଜିଲାର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ଅସ୍ଥାୟୀ ଆଉଟସୋର୍ସିଂ କର୍ମଚାରୀମାନେ କଳାବ୍ୟାଜ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରତିବାଦ ଜଣାଇଥିଲେ। କଳାବ୍ୟାଜ ପରିଧାନ କରି ନିଜ କାର୍ଯ୍ୟକ୍ଷେତ୍ରରେ କାମ କରିଥିବା ଜଣାପଡିଛି।
ବଲାଙ୍ଗୀର ଜିଲାର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ, ବିଭିନ୍ନ ବ୍ଳକ୍‌ କାର୍ଯ୍ୟାଳୟ, ଫରେଷ୍ଟ ଅଫିସ, ଜିଲା ପରିଷଦ କାର୍ଯ୍ୟାଳୟ, ଜିଲାପାଳ କାର୍ଯ୍ୟାଳୟ, ବିଭିନ୍ନ ସରକାରୀ ଅଫିସରେ ଥିବା ଆଉଟସୋର୍ସିଂ କର୍ମଚାରୀମାନେ କଳାବ୍ୟାଜ ପିନ୍ଧିଥିଲେ। ଆସନ୍ତା ୨୬ ତାରିଖ ଭୁବନେଶ୍ୱରଠାରେ ଆଉଟସୋର୍ସିଂ କର୍ମଚାରୀ ସଂଘ ପକ୍ଷରୁ ବିଶାଳ ବିକ୍ଷୋଭ ସମାବେଶ କରାଯିବ ବୋଲି ସୂଚନା ଦିଆଯାଇଛି। ଏହି ଆନ୍ଦୋଳନରେ ବଲାଙ୍ଗୀର ଜିଲାରୁ ବହୁ ସଂଖ୍ୟାରେ ସଂଘ ସଦସ୍ୟ ଯୋଗଦାନ କରି ଚାକିରୀ ସ୍ଥାୟୀ କରିବା ଦିଗରେ ରାଜ୍ୟ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବେ ବୋଲି ସୂଚନା ଦିଆଯାଇଛି।