ବରଗଡ଼,୨୮।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ବାଉଲସିଂହାସ୍ଥିତ ଇଥାନଲ ପ୍ଲାଣ୍ଟରେ ସ୍ଥାନୀୟ ନିଯୁକ୍ତିକୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଉକ୍ତ ପ୍ଳାଣ୍ଟର ପାର୍ଶ୍ବବର୍ତ୍ତୀ ଗ୍ରାମ ଗୁଡିକରେ ଅସନ୍ତୋଷ ତେଜି ଉଠିଛି। ଏହି କ୍ରମରେ ସୋମବାର ସକାଳ ପ୍ରାୟ ୮ଟାରୁ ବାଉଲସିଂହା, ରାଇଶୋଭା, ତେଜାଗୋଲା, ନୂଆପାଲି, ବନଛୋରଡିହି ଆଦି ଗ୍ରାମର ଶତାଧିକ ମହିଳା, ପୁରୁଷ ଇଥାନଲ ପ୍ଲାଣ୍ଟକୁ ପହଞ୍ଚି ଥିଲେ। ପ୍ଲାଣ୍ଟର ମୁଖ୍ୟ ଫାଟକ ସମ୍ମୁଖ ସମେତ ପ୍ଲାଣ୍ଟକୁ ଯାଇଥିବା ରାସ୍ତା ଉପରେ ଧାରଣା ଦେଇ ସ୍ଥାନୀୟ ନିଯୁକ୍ତି ଦାବି କରିଥିଲେ। ଲୋକଙ୍କ ଧାରଣା ଯୋଗୁଁ ପ୍ଲାଣ୍ଟର କର୍ମଚାରୀମାନେ ପ୍ଲାଣ୍ଟ ଭିତରକୁ ଯାଇ ପାରି ନଥିଲେ। ଫଳରେ ପ୍ଲାଣ୍ଟ ଏକ ପ୍ରକାର ଅଚଳ ହୋଇ ପଡିଥିଲା। ପରେ ଖବର ପାଇ ବରଗଡ଼ ଉପଜିଲାପାଳ ପ୍ରସନ୍ନ କୁମାର ପାଣ୍ଡେ ପହଞ୍ଚି ଧାରଣାରେ ବସିଥିବା ଲୋକଙ୍କ ସହିତ ଆଲୋଚନା କରିଥିଲେ। ସ୍ଥାନୀୟ ନିଯୁକ୍ତି ନେଇ ବିହିତ ପଦକ୍ଷେପ ନିଆଯିବ ବୋଲି ଉପଜିଲାପାଳ ପାଣ୍ଡେ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ଫଳରେ ଅପରାହ୍ନ ପ୍ରାୟ ୨ଟାରେ ଲୋକେ ଧାରଣାରୁ ଉଠିଥିଲେ ଏବଂ ପ୍ଲାଣ୍ଟରେ ସ୍ବାଭାବିକ ଭାବେ କାର୍ଯ୍ୟ ଚାଲିଥିଲା। ପ୍ରକାଶ ଥାଉକି, ଉକ୍ତ ପ୍ଲାଣ୍ଟ ନିର୍ମାଣ ହେବା ପୂର୍ବରୁ ଉପରୋକ୍ତ ଗ୍ରାମରେ ଗ୍ରାମସଭା ହୋଇଥିଲା। ସେତେବେଳେ ପ୍ଲାଣ୍ଟରେ ସ୍ଥାନୀୟ ନିଯୁକ୍ତିକୁ ଅଗ୍ରାଧିକାର ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ମାତ୍ର ଏବେ ପ୍ଲାଣ୍ଟ କାର୍ଯ୍ୟକ୍ଷମ ଅବସ୍ଥାକୁ ଆସିବା ପରେ ସ୍ଥାନୀୟ ନିଯୁକ୍ତି ବଦଳରେ ବାହ୍ୟ ଜିଲା ଓ ରାଜ୍ୟର ଲୋକଙ୍କୁ ନିଯୁକ୍ତି ଦିଆଯାଉଥିବା ଅଭିଯୋଗ ହୋଇଛି ଏବଂ ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ଲାଗି ରହିଛି।


