ସହରରେ ପାହାଡ଼ି ପରିବା ଚାହିଦା

କେନ୍ଦୁଝର,୨୯ା୧୦ ନରେଶ ଚନ୍ଦ୍ର ପଟ୍ଟନାୟକ: ଦୁଇ ବର୍ଷ କୋଭିଡ୍‌ କଟକଣା ପରେ ବନବାସୀମାନେ ବଣପାହାଡ଼ରୁ ପନିପରିବା ଆଣି କେନ୍ଦୁଝର ସହରରେ ବିକ୍ରି କରୁଛନ୍ତି। ସମ୍ପ୍ରତି କେନ୍ଦୁଝର ବଜାରରେ ପରିବା ଦର ଆକାଶଛୁଆଁ ଥିବା ବେଳେ ପାହାଡ଼ି ପରିବାର ଚାହିଦା ବଢ଼ୁଥିବା ଦେଖିବାକୁ ମିଳୁଛି। ଏଥିସହ ଏହା ବିନା ସାର, ପାରମ୍ପରିକ ପଦ୍ଧତିରେ ଉତ୍ପାଦିତ ହେଉଥିବାରୁ ପରିବାର ସ୍ବାଦ ଅଲଗା ରହିବା ସହ ଦେହ ପ୍ରତି ସ୍ବାସ୍ଥ୍ୟକର ହୋଇଥିବାରୁ ଏହା ଲୋକଙ୍କ ପ୍ରଥମ ପସନ୍ଦ ହୋଇଛି।
ବନବାସୀମାନେ ସହରବଜାର ରାସ୍ତାକଡ଼ରେ ପସରା ମେଲାଇ କାକୁଡ଼ି, ଜହ୍ନି, ବିଭିନ୍ନ ପ୍ରକାରର ଶାଗ ଓ ଛତୁ, ଭେଣ୍ଡି, କଞ୍ଚା କଦଳୀ, ବାଇଗଣ, ରୁମା ଛୁଇଁ, କାଙ୍କଡ଼, ଲାଉ, ଅମୃତଭଣ୍ଡା, ସଜନା ଛୁଇଁ, କଖାରୁ, ବୋଇତାଳୁ, ଓଲୁଅ, ସାରୁ, ବୋଇତାଳୁ ଫୁଲ-ଡଙ୍କ, କଦଳୀ ଫୁଲ-ମଞ୍ଜା, କଲରା ଏବଂ ମକା, ଚୂନା ମାଛ, କୁରୁକୁଟି ଆଦି ବିକିଥାନ୍ତି। ପାହାଡ଼ର ଗଡ଼ାଣିଆ ଜମିରେ ତଇଳା କାଟି ବହୁ କଷ୍ଟ କରି ଏହି ଚାଷ କରିଥାନ୍ତି ବୋଲି ଜଣେ ଆଦିବାସୀ ଚାଷୀ ବନମାଳୀ ନାଏକ କହିଛନ୍ତି। ଆଦିବାସୀ ସାମଗ୍ରୀକୁ ଭାଗ ଭାଗ କରି ବିକୁଥିବା ବେଳେ ଏହାକୁ ନେଇ ବେପାରୀମାନେ କିଲୋ ଦରରେ ଉଚ୍ଚା ଦାମରେ ବିକି ବେଶ ଲାଭବାନ ହେଉଛନ୍ତି। ଏ ନେଇ ପ୍ରଶାସନିକସ୍ତରରେ ମଧ୍ୟ କୌଣସି ସହାୟତା ମିଳୁ ନ ଥିବାରୁ ବନବାସୀ ଓଜନ ଓ ମୂଲ୍ୟରେ ଠକାମିର ଶିକାର ହେଉଥିବା ଅଭିଯୋଗ ହେଉଛି। ବନବାସୀମାନେ ସରଳ ଓ ନିରୀହ ହୋଇଥିବାରୁ ଏହାର ପ୍ରତିବାଦ କରୁନାହାନ୍ତି ବୋଲି ଅବସରପ୍ରାପ୍ତ କେନ୍ଦ୍ର ସରକାରୀ ଅଧିକାରୀ ଅଲେଖଚନ୍ଦ୍ର ପାତ୍ର କୁହନ୍ତି। ବେପାରୀଙ୍କ ପ୍ରାଦୁର୍ଭାବ ଯୋଗୁ ପାହାଡ଼ି ପରିବାର ଦର ଅଯଥା ବୃଦ୍ଧି ପାଉଛି। ଏହାର ଦରଦାମ୍‌ ତଥା ବିକ୍ରିବଟା ନିୟନ୍ତ୍ରଣ ପ୍ରଶାସନ ପକ୍ଷରୁ କରାଗଲେ ଆଦିବାସୀ ଉଚିତ ମୂଲ୍ୟ ପାଇପାରିବେ ଏବଂ ସେମାନଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିବ। ପେଟପାଟଣା ପାଇଁ ଗଛ କାଟିବେ ନାହିଁ ବୋଲି ବରିଷ୍ଠ ସାହିତି୍ୟକ ପ୍ରଦୀପ ରାଉତ, ସ୍ଥାନୀୟ ବାସିନ୍ଦା ଅନିଲ ଶଙ୍କର ଓ ପରିବେଶବିତ୍‌ମାନେ ମତବ୍ୟକ୍ତ କରିଛନ୍ତି।