ଅମରପାଲି,୧୬।୧୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅଧୀନ ଲୁତୁରପଙ୍କ ଗ୍ରାମରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ଗ୍ରାମବାସୀ ସୁବର୍ଣ୍ଣପୁର ଜିଲାପାଳ ଦେବାଶିଷ ସିଂଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ତୃତୀୟ ପର୍ଯ୍ୟାୟରେ ବୀରମହାରାଜପୁର ବ୍ଲକରେ ୯ଟି ସ୍କୁଲକୁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟରେ ସାମିଲ କରି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ମାତ୍ର ଏଥିରୁ ଲୁତୁରପଙ୍କକୁ ବାଦ ଦିଆଯାଇଥିଲା। ଏନେଇ ଗ୍ରମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।
ସୋମବାର ବୀରମହାରାଜପୁର ବ୍ଲକ ସଭା ଗୃହରେ ଅନୁଷ୍ଠିତ ହୋଇଥିବା ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିରକୁ ଲୁତୁରପଙ୍କ ଗ୍ରାମର ପ୍ରାୟ ଶତାଧିକ ଗ୍ରାମବାସୀ ସୁବର୍ଣ୍ଣପୁର ଜିଲାପାଳ ଦେବାଶିଷ ସିଂଙ୍କୁ ଦାବିପତ୍ର ଦେଇ ଲୁତୁରପଙ୍କରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ପାଇଁ ଦାବି କରିଛନ୍ତି।
ଜିଲାପାଳ ପରବର୍ତ୍ତୀ ପର୍ଯ୍ୟାୟରେ ଲୁତୁରପଙ୍କଙ୍କୁ ସାମିଲ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଗ୍ରାମବାସି ପ୍ରକାଶ କରିଛନ୍ତି। ଲୁତୁରପଙ୍କ ସରପଞ୍ଚ ସୂର୍ଯ୍ୟ କୁମାର ନନ୍ଦ, ଯଜ୍ଞେଶର ମହାକୁର, ଯୁଧିଷ୍ଟିର ପାତ୍ର, ସୁଶାନ୍ତ ପ୍ରଧାନ, ରବି ପ୍ରଧାନ, ବିଶ୍ୱଜିତ ମହାକୁର, ଭୀମସେନ ଦେହୁରୀଙ୍କ ସମେତ ଶତାଧିକ ବ୍ୟକ୍ତିଙ୍କ ଦସ୍ତଖତ ଥିବା ଦାବିପତ୍ର ପ୍ରଦାନ କରାଯାଇଛି।