ଜିଲା ମାନ୍ୟତା ଦାବି ତେଜିଲା

ଟିଟିଲାଗଡ,୨୪ା୧୧(ଡି.ଏନ.ଏ.): ଟିଟିଲାଗଡ଼ ଉପଖଣ୍ଡକୁ ଜିଲା ମାନ୍ୟତା ଦାବିରେ ଗୁରୁବାର ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା। ଜିଲା କ୍ରିୟାନୁଷ୍ଠାନ କମିଟି ଆହ୍ବାନରେ କରାଯାଇଥିବା ବନ୍ଦକୁ ଜନ ସମର୍ଥନ ମିଳିଛି। ବନ୍ଦକୁ ସିନ୍ଧେକେଲା ଓ ସଇଁତଳାରେ ବି ଲୋକେ ସମର୍ଥନ କରିଛନ୍ତି। ବନ୍ଦ ଯୋଗୁ ଏହି ସବୁ ଅଞ୍ଚଳର ଜନଜୀବନ ପ୍ରଭାବିତ ହୋଇଛି। ଯାନବାହାନ ଚଳାଚଳ ବନ୍ଦ ରହିବାରୁ ରାସ୍ତା ଶୂନଶାନ ହୋଇ ଯାଇଥିଲା। ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ବ୍ୟାଙ୍କ, ଡାକବିଭାଗ, ଜୀବନ ବୀମା, ଭାରତୀୟ ଖାଦ୍ୟ ନିଗମ ଅଫିସ, ଦୋକାନ ବଜାର ବନ୍ଦ ରହିଥିଲା। ବାଇକ ଶୋଭାଯାତ୍ରା କରି ବନ୍ଦ ପାଳନକାରୀ ସହର ପରିକ୍ରମା କରିଥିଲେ। ପରେ କୋର୍ଟ ସମ୍ମୁଖରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ପିକେଟିଂ ଯୋଗୁ କୋର୍ଟ କାର୍ଯ୍ୟ ଚାଲି ପାରି ନ ଥିଲା।
ଦୀର୍ଘ ୩୦ବର୍ଷ ଧରି ଟିଟିଲାଗଡ଼ ଜିଲା ଆନ୍ଦୋଳନ ଚାଲି ଆସିଛି। ହେଲେ ଶାସକ ବିଜେଡି ପଦ୍ମପୁର ଉପଖଣ୍ଡକୁ ଜିଲା ମାନ୍ୟତା ଦେବା ପାଇଁ ସବୁଜ ସଙ୍କେତ ଦେବା ପରେ ଟିଟିଲାଗଡ ଉପଖଣ୍ଡବାସୀ ଏବେ ତାଙ୍କ ପୂର୍ବ ସ୍ବରକୁ ଅଧିକ ଶାଣିତ କରିଛନ୍ତି। ଗତ ସପ୍ତାହେ ହେଲା ଟିଟିଲାଗଡ଼ ଜିଲା ଦାବିରେ ଅଞ୍ଚଳରେ ପ୍ରତିବାଦ ଶୋଭାଯାତ୍ରା, ମାନବ ଶୃଙ୍ଖଳ, ସଭାସମିତି ଜରିଆରେ ଆନ୍ଦୋଳନ କୁହୁଳିଛି। ୧୫ ଦିନ ମଧ୍ୟରେ ଜିଲା ଘୋଷଣା ନକଲେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ପୂର୍ବରୁ ଚେତାବନୀ ଦିଆଯାଇଛି l ଆଜିର ବନ୍ଦରେ ଜିଲା କ୍ରିୟାନୁଷ୍ଠାନ କମିଟି ଆବାହକ ସଞ୍ଜୟ ବେହେରା, ବୀରେନ୍ଦ୍ର ବାଗ, ଓକିଲ ସଂଘ, କାଉନସିଲର ସୁନୀଲ ଆଚାର୍ଯ୍ୟ, ଯାଦବ ସମାଜ ସଭାପତି ଘିନୁ ଆଡ଼ଯୁଆଡ, ସରପଞ୍ଚ ସଂଘ ସଭାପତି ବୀରବର ସାହୁ, ହରିନାରାୟଣ ମିଶ୍ର, ସମାଜସେବୀ ଅଞ୍ଜଳି ବେହେରା, ପୌରାଧ୍ୟକ୍ଷା ମମତା ଜୈନ, ବିକାଶ ସେନା ସଭାପତି ଅମ୍ଲାନ ଷଡ଼ଙ୍ଗୀ, ଭାଜପା ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀ, ରଣ ପୃଷ୍ଟି, ବିଜେଡି କାଉନସିଲର ସୁଧୀର ଅଗ୍ରୱାଲ, ଦେବାନନ୍ଦ ସାହୁ, ତୁଳସୀ ସାହୁ, ହରି ବହିଦାର ଓ ଟିଟିଲାଗଡ଼ର ବିଭିନ୍ନ ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା ସାମିଲ ହୋଇଥିଲେ। ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ତରଫରୁ ସହରର ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଥିଲା l