ଜୟପୁରକୁ ଜିଲା ମାନ୍ୟତା ଦାବି ତେଜିଲା

ଜୟପୁର,୨୨ା୧୨(ପବନ ପାଣିଗ୍ରାହୀ): ଜୟପୁରକୁ ଜିଲା ମାନ୍ୟତା ଦାବିରେ ସ୍ଥାନୀୟ ରାଜନଗର ଛକଠାରେ ଶୁକ୍ରବାର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ବ୍ୟବସାୟୀ, ସମାଜିକ କର୍ମୀ, ଛାତ୍ର ନେତା ଏବଂ ଯୁବକମାନେ ଯୋଗ ଦେଇଥିଲେ। କୋରାପୁଟ ଇତିହାସରୁ ଜଣାପଡେ ଜୟପୁର ସେସମୟରେ ରାଜ୍ୟର ରାଜଧାନୀ ରହି ଆସିଛି। ଭୌଗଲିକ, ସାମାଜିକ, ଐତିହାସିକ ଏବଂ ପାରମ୍ପରିକ ଦୃଷ୍ଟିରୁ ଜୟପୁରକୁ ଜିଲା ଦାବି କରିବା ଏକ ନାର୍ଯ୍ୟ ଦାବି। ୧୯୮୯ରୁ ଜୟପୁର ଜିଲାର ମାନ୍ୟତା ଦାବି କରି ଆସିଛି। କୋରାପୁଟ ଆୟତ୍ତନରେ ଜୟପୁର ଏବେ ମଧ୍ୟ ଓଡିଶାରେ ତୃତୀୟ ବୃହତ୍ତମ ଜିଲା। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଜିଲାର କୋଣ ଅନୁକୋଣରେ ରହୁଥିବା ବାସିନ୍ଦା ବିଭିନ୍ନ ସରକାରୀ ଯୋଜନା ଏବଂ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି ବୋଲି ଆଲୋଚନା ବେଳେ ମତ ପ୍ରକାଶ ପାଇଥିଲ।

ସରକାର ଏବଂ ସରକାରୀ ଯୋଜନା ସୀମାନ୍ତ ଅଞ୍ଚଳରେ ଠିକ୍‌ ଭାବେ ନ ପହଞ୍ଚିବାରୁ ସେଠାକାର ବସିନ୍ଧା ବାଧ୍ୟ ହୋଇ ପଡୋଶୀ ରାଜ୍ୟ ପ୍ରତି ଆକୃଷ୍ଟ ହେଉଛନ୍ତି। ପଡୋଶୀ ରାଜ୍ୟ ଅଧିକାରୀ ମାନେ ମଧ୍ୟ ସେମାନଙ୍କୁ ପ୍ରଲୋଭିତ ନିଜ ସପକ୍ଷରେ ନେବାକୁ ସଫଳ ହେଉଛନ୍ତି ବୋଲି ଉପସ୍ଥିତ ଜନସାଧାରଣ ପ୍ରକାଶ କରିଥିଲେ। କୋରାପୁଟ ଜିଲାରେ ବର୍ତ୍ତମାନ ୧୪ଟି ବ୍ଲକ ରହିଛି। ଏହାର ଆୟତନ ୮୮୦୭ ବର୍ଗ କଲୋମିଟର। ଜୟପୁର ଉପଖଣ୍ଡରେ ୫ଟି ବ୍ଲକ ଏବଂ କୋରାପୁଟ ଉପଖଣ୍ଡରେ ୯ଟି ବ୍ଲକ ରହିଛି। ଯଦି ୭ଟି ଲେଖାଏ ବ୍ଲକକୁ ନେଇ ଦୁଇଟି ଜିଲା କୋରାପୁଟ ଏବଂ ଜୟପୁର ଗଠନ ହୋଇ ଥାଆନ୍ତା ତେବେ ଉଭୟ ଜିଲାର ଜିଲା ପ୍ରଶାସନ ପ୍ରତ୍ୟେକ ଲୋକଙ୍କ ନିକଟରେ ସରକାରୀ ସେବା ପହଞ୍ଚାଇବାରେ ସଫଳ ହୋଇଥାନ୍ତେ। ଏହାକୁ ବିଚାରକୁ ନେଇ ଜୟପୁରକୁ ଏକ ଜିଲାରେ ପରିଣତ କରିବାକୁ ଉପସ୍ଥିତ ବୁଦ୍ଧିଜୀବୀମାନେ ମତ ଦେଇଥିଲେ।

ଏହି ଅବସରରେ ବ୍ୟବସାୟୀ ସଂଘ ଅଧ୍ୟକ୍ଷ ଭି. ପ୍ରଭକର, ଅବସରପ୍ରାପ୍ତ ସରକାରି ଅଧିକାରୀ କମଳା କାନ୍ତ ରଥ, କଳାକାର ଧୀରେନ ମୋହନ ପଟ୍ଟନାୟକ, ସାମାଜିକ କାର୍ଯ୍ୟକର୍ତ୍ତା ଗୁପ୍ତ ପ୍ରକାଶ ଦାସ, କେ. ସତିଶ, ଆରକୁଲୁ ଶ୍ରୀନୁ, ସନ୍ଦିପ ସାମନ୍ତରାୟ, ରଘୁ ନାୟକ, ଜି. ବସନ୍ତ ରାଓ, ସାଇ ବାବୁ , ନିଶାନ ପଟ୍ଟନାୟକ, ବିକାଶ ଆଗ୍ରୱାଲ, ବୁଲୁ ଦେବଶର୍ମାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ଅବସରରେ ମଧ୍ୟ ଏକ ସେଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା।