ବିକାଶ ପ୍ରକଳ୍ପରେ ମଣିଖମ୍ବ, ଶୌଚାଳୟ ନିର୍ମାଣ ଦାବି

ଖଣ୍ଡପଡ଼ା,୧ା୫(ସ୍ବ.ପ୍ର.): ଶ୍ରୀ ନୀଳମାଧବ ପୀଠର ବିକାଶ ପାଇଁ ରାଜ୍ୟ ସରକାର ୧୦୦ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି।
ଇତିମଧ୍ୟରେ ଠାକୁରଙ୍କ ଚନ୍ଦନ ପୋଖରୀର ପୁନରୁଦ୍ଧାର ଚାଲିଛି। ତେବେ ପୁଷ୍କରିଣୀର ମଧ୍ୟ ଭାଗରେ ଥିବା ଏକ ଅନ୍ନ ଖମ୍ବ(ମଣିଖମ୍ବ) ଦୀର୍ଘବର୍ଷ ପୂର୍ବରୁ ଭାଙ୍ଗି ଯାଇଥିଲା। ଠାକୁରଙ୍କ ଚନ୍ଦନ ଯାତ୍ରା ଓ କାଳୀୟଦଳନ ନୀତି ବେଳେ ଉକ୍ତ ପୁଷ୍କରିଣୀର ମଧ୍ୟ ଭାଗରେ ଏକ ବାଉଁଶ ପୋତା ଯାଉଥିଲା। ସେହି ବାଉଁଶକୁ ମଣିଖମ୍ବ ଭାବେ ବିବେଚନା କରାଯାଉଥିଲା। ସମ୍ପ୍ରତି ଚନ୍ଦନ ପୁଷ୍କରଣୀ ପୁନରୁଦ୍ଧାର କାର୍ଯ୍ୟ ଚାଲୁଛି। ଏହି ଅବସରରେ ସେଠାରେ ସ୍ଥାୟୀ ମଣିଖମ୍ବ ନିର୍ମାଣ କରିବାକୁ ନୀଳମାଧବ ପୂଜକ ସମାଜ ପକ୍ଷରୁ ଦାବି କରାଯାଇଛି। ହେଲେ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଗୁରୁତ୍ୱ ଦେଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ବିଭିନ୍ନସ୍ତରରୁ ମଣିଖମ୍ବ ନିର୍ମାଣ ପାଇଁ ପ୍ରଶାସନକୁ ଅବଗତ କରାଯାଇଛି। ଏ ନେଇ କାର୍ଯ୍ୟ ସମ୍ପାଦନ କରୁଥିବା ଓଡ଼ିଶା ସେତୁ ନିର୍ମାଣ ନିଗମ(ଓବିସିସି) ପ୍ରମୁଖ ଅଧିକାରୀଙ୍କୁ ଲିଖିତ ଭାବେ ଅବଗତ କରାଯାଇଛି।
ଅନ୍ୟପକ୍ଷେ କଣ୍ଟିଲୋ କଂସା ପିତଳ ବାସନ ଶିଳ୍ପ ପାଇଁ ପ୍ରସିଦ୍ଧି ଲାଭ କରିଛି। ଶ୍ରୀ ନୀଳମାଧବଙ୍କ ଦର୍ଶନ ପାଇଁ ଏହି କ୍ଷେତ୍ରକୁ ପ୍ରତ୍ୟେହ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀ ଓ ପର୍ଯ୍ୟଟକଙ୍କ ପାଇଁ ସୁଲଭ ଶୌଚାଳୟ ନ ଥିବାରୁ ସମସ୍ୟା ସୃଷ୍ଟି ହୋଇଥାଏ। ଏଣୁ ପର୍ଯ୍ୟଟକମାନଙ୍କ ସୁବିଧା ଦୃଷ୍ଟିରୁ ବିଶ୍ରମାଗାର ସହ ଶୌଚାଳୟ ନିର୍ମାଣ କରିବା ପାଇଁ ପୂଜକ ସମାଜ ପକ୍ଷରୁ ସଭାପତି ସଚ୍ଚିଦାନନ୍ଦ ମିଶ୍ର ଓ ସମ୍ପାଦକ ନୀଳମାଧବ ମିଶ୍ର ସେତୁ ନିର୍ମାଣ ନିଗମ କର୍ତ୍ତୃପକ୍ଷଙ୍କ ସମେତ ନୟାଗଡ଼ ଜିଲାପାଳଙ୍କ ନିକଟରେ ଦାବି କରାଯାଇଛି।