କାର୍ତ୍ତିକ ପୂର୍ଣ୍ଣିମା ପୂର୍ବରୁ ବଟେଶ୍ୱର ରାସ୍ତା ନିର୍ମାଣ ଦାବି ତେଜିଲା

ଗଞ୍ଜାମ,୨୫ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର କଣ୍ଟିଆଗଡ଼ ନିକଟ ବଟେଶ୍ୱର ପୀଠକୁ ହୁମାଠାରୁ ସଂଯୋଗ ରାସ୍ତା ଶୋଚନୀୟ ଅବସ୍ଥା ହୋଇପଡିଛି। କିଛି ଦିନ ପରେ କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ବଟେଶ୍ୱର ପୀଠରେ ବାଲିଯାତ୍ରା ଅନୁଷ୍ଠିତ ହେବ। ସେଠାରେ ଭକ୍ତଙ୍କ ଭିଡ଼ ଜମିବ। କିନ୍ତୁ ଦୀର୍ଘ ମାସ ହେବ ରାସ୍ତା ଦୟନୀୟ ଅବସ୍ଥାରେ ରହିଛି।

ଯାହାକୁ ନେଇ ୮ ଖଣ୍ଡ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଜିଲାପାଳଙ୍କ ଅଭିଯୋଗ ଶୁଣାଣି ବେଳେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଅଭିଯୋଗ ପରେ ଗତ ସେପ୍ଟେମ୍ବର ମାସରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ଠିକା ନିର୍ମାଣ ସଂସ୍ଥା ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ତାହା ପୁରଣ ହେଲା ନାହିଁ। ଏନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପୁଣି ଏକ ଦାବି ପତ୍ର ହୁମା ଫାଣ୍ଡି ଅଧିକାରୀ ବିନୟ ଦାସଙ୍କୁ ପ୍ରଦାନ କରାଯାଇଛି। ଯଦି ଏହାର ସମାଧାନ ନ ହୁଏ ତାହେଲେ ୮ ଖଣ୍ଡ ଗ୍ରାମବାସୀଙ୍କ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି କମିଟି ଚେତାବନୀ ଦେଇଛି।

Share