ବିଦେଶୀ ମଦ ଦୋକାନ ବନ୍ଦ ଦାବି: ଉପଜିଲାପାଳ କାର୍ଯ୍ୟାଳୟ ଘେରାଉ

ବୀରମହାରାଜପୁର, ୧୦/୯ (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଥାନା ନୁଆଁପଡ଼ାଠାରେ ଥିବା ବିଦେଶୀ ମଦ ଦୋକାନ ବନ୍ଦ ଦାବିରେ ମହିଳାମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଶତାଧିକ ମହିଳା ଏକାଠି ହୋଇ ବୀରମହାରାଜପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଧାରଣା ଦେଇଥିଲେ।

ମଦ ଦୋକାନ ଯୋଗୁଁ ଅଞ୍ଚଳର ସାମାଜିକ ପରିବେଶ ନଷ୍ଟ ହେଉଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ ମହିଳାମାନେ। ଏଥିସହ ଛାତ୍ରୀମାନେ ପାଠପଢ଼ିବା ପାଇଁ ଯାତାୟାତ କରୁଥିବା ସମୟରେ ମଦ୍ୟପ ବ୍ୟକ୍ତିମାନେ ଖରାପ ଇଙ୍ଗିତ କରୁଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ, ମଦ୍ୟପ ବ୍ୟକ୍ତିମାନେ ମଦ ପିଇବା ପରେ ବୋତଲ ଭାଙ୍ଗି ଚାଷଜମିରେ ପକାଇ ଦେଉଥିବାରୁ ଚାଷୀମାନେ ଜମିକୁ ଯିବାଆସିବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ମହିଳାମାନେ କହିଛନ୍ତି। ଏହି ଅବସରରେ ମହିଳାମାନେ ଏକଜୁଟ ହୋଇ ହାତରେ ପ୍ଲାକାର୍ଡ ଧରି ନାରାବାଜି କରିବା ସହ ବୀରମହାରାଜପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ତୁରନ୍ତ ମଦ ଦୋକାନ ବନ୍ଦ କରିବା ପାଇଁ ସେମାନେ ପ୍ରଶାସନ ନିକଟରେ ଦାବି ରଖିଛନ୍ତି।

ଏନେଇ ମହିଳାମାନଙ୍କ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି। ଦାବି ଉପରେ ପ୍ରଶାସନ କି ପଦକ୍ଷେପ ନେଉଛି, ତାହାକୁ ଅପେକ୍ଷା କରିଛନ୍ତି ଆନ୍ଦୋଳନକାରୀ।ଆଜିର ଏହି ଆନ୍ଦୋଳନରେ ମହିଳା ସଭାନେତ୍ରୀ ସରୋଜିନୀ ନାଏକ, ସମ୍ପାଦିକା ମିତା ମଲ୍ଲିକ, ବିନୋଦିନୀ ମେହେର, କବିତା ମଲ୍ଲିକ, କ୍ରିଷ୍ଣା ମଲ୍ଲିକଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ।

Dharitri – Odisha’s No.1 Odia Daily

 

Share