ପଦ୍ମପୁର,୨୬।୫ (ପ୍ରଦୀପ୍ତ ଦାଶ): ପାଇକମାଳ ବ୍ଲକର ଅତିରିକ୍ତ ଦାୟିତ୍ୱରେ ଥିବା ବ୍ଲକ ଶିକ୍ଷା ଅଧିକାରୀ ଶୁଭମ ପତିଙ୍କ ବଦଳି ନିର୍ଦ୍ଦେଶକୁ ବାତିଲ କରିବା ଦାବି ଏବେ ଜୋର ଧରିଛି। ଏହି ବଦଳି ନିର୍ଦ୍ଦେଶକୁ ପ୍ରତ୍ୟାହାର କରିବା ପାଇଁ ପାଇକମାଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଏକ ଲିଖିତ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ଶିକ୍ଷା ସଚିବ ଏବଂ ମାନ୍ୟବର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପଦ୍ମପୁର ଉପଜିଲାପାଳଙ୍କୁ ପ୍ରଦାନ କରାଯାଇଛି। ଶିକ୍ଷକ ସଂଘର କହିବା ଅନୁଯାୟୀ, ଶିକ୍ଷା ବିଭାଗର ବିଭିନ୍ନ ଯୋଜନାକୁ ସଫଳ କରିବାରେ ଶୁଭମ ପତି ଜଣେ ଦକ୍ଷ ଏବଂ ଲୋକପ୍ରିୟ ଅଧିକାରୀ ଭାବେ ବେଶ୍ ପରିଚିତ। ଏଭଳି ସମୟରେ ତାଙ୍କର ହଠାତ୍ ବଦଳି ହେବା ଦ୍ୱାରା ବ୍ଲକର ଶିକ୍ଷା ପ୍ରଶାସନିକ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହେବାର ସମ୍ଭାବନା ରହିଛି। ପାଇକମାଳ ବ୍ଲକ ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର ଏକ ପ୍ରତିନିଧି ଦଳ ପଦ୍ମପୁର ଉପଜିଲାପାଳଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିବା ସହ ବରଗଡ଼ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଗୋବର୍ଦ୍ଧନ ଭୋଏ, ସ୍ଥାନୀୟ ବିଧାୟିକା ବର୍ଷା ସିଂ ବରିହାଙ୍କୁ ମଧ୍ୟ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ବ୍ଲକର ବୃହତ୍ତର ସ୍ବାର୍ଥ ଏବଂ ଶିକ୍ଷା ବ୍ୟବସ୍ଥାର ସ୍ଥିରତାକୁ ଦୃଷ୍ଟିରେ ରଖି ଏହି ବଦଳି ଆଦେଶକୁ ତୁରନ୍ତ ବାତିଲ ପାଇଁ ଅନୁରୋଧ କରିଛନ୍ତି ।ଦାବିପତ୍ର ପ୍ରଦାନ ସମୟରେ ଶିକ୍ଷକ ସଂଘ ସଭାପତି ନିରାକାର ପ୍ରଧାନ, ସମ୍ପାଦକ ଚକ୍ରଧର ଅଜଗର,ନାରାୟଣ ମେହେର, ବରିଷ୍ଠ ଶିକ୍ଷକ ସୁବାସ ଚନ୍ଦ୍ର ସାହୁ,ସୁଶାନ୍ତ ସେଠ, ଅକ୍ଷୟ ଡୁଡୁକା,ଲିଙ୍ଗରାଜ ସାହୁ, ଲଳିତ ମହାନନ୍ଦ, ରୁଦ୍ରମଣି ଭୋଇ, ପ୍ରଫୁଲ୍ଲ ସିଂ ଉପସ୍ଥିତ ଥିଲେ ।