ଭଦ୍ରକ-ପୁରୀ ମେମୁ ଟ୍ରେନ୍‌ ଚଳାଚଳ ଦାବି

ଭଦ୍ରକ ଅଫିସ/ଧାମନଗର, ୯ା୨(ଡି.ଏନ.ଏ): ଭଦ୍ରକ ଧାମରା ମଧ୍ୟରେ ପାସେଞ୍ଜର୍‌ ଟ୍ରେନ ଚଳାଚଳ ପାଇଁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ବୁଧବାର ଭଦ୍ରକ ଏମ୍‌ପି ମଞ୍ଜୁଲତା ମଣ୍ଡଳ ସାକ୍ଷାତ କରି ଦାବି ଜଣାଇଛନ୍ତି। ସଂସଦ ଭବନର କେନ୍ଦ୍ର ରେଳମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏମ୍‌ପି ମଣ୍ଡଳ ସାକ୍ଷାତ କରି ଭଦ୍ରକରୁ ପୁରୀ ଓ ପୁରୀରୁ ଭଦ୍ରକ ମଧ୍ୟରେ ନୂତନ ପାସେଞ୍ଜର ମେମୋ ଟ୍ରେନ ପ୍ରଚଳନ ଓ ଭଦ୍ରକ ସଂସଦୀୟ କ୍ଷେତ୍ର ଅଧୀନସ୍ଥ ସମସ୍ତ ରେଳ ଷ୍ଟେଶନର ଉନ୍ନତି ପାଇଁ ଲିଖିତପତ୍ର ପ୍ରଦାନ କରିଛନ୍ତି। ପ୍ରକାଶଥାଉକି, ଗତ ୨୦୨୨ ଡିସେମ୍ବର ୬ରେ ଭୁବନେଶ୍ୱରଠାରେ ଦକ୍ଷିଣ ପୂର୍ବ ରେଳ ବିଭାଗର ଜେନେରାଲ ମ୍ୟାନେଜରଙ୍କ ସହ ଏମ୍‌ପି ମଣ୍ଡଳ, ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ଖୋର୍ଦ୍ଧା ରେଳ ଡିଭିଜନ ପରାମର୍ଶଦାତା କମିଟିର ସଭ୍ୟ ଶିଶିର ମିଶ୍ରଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିଲା। ଭଦ୍ରକ-ପୁରୀ ନୂତନ ପାସେଞ୍ଜର ମେମୋ ଟ୍ରେନ ରେଳବାଇ ବୋର୍ଡ ପକ୍ଷରୁ ମଞ୍ଜୁର ହୋଇଥିବା ଓ ଉକ୍ତ ଟ୍ରେନର ଶୁଭାରମ୍ଭ ତାରିଖ କେନ୍ଦ୍ର ରେଳମନ୍ତ୍ରୀଙ୍କ ନିଷ୍ପତ୍ତି ପରେ ଚାଲୁ ହେବ ବୋଲି ଲିଖିତ ସୂଚନା ଦିଆଯାଇଥିଲା। ପରେ ଉକ୍ତ ଟ୍ରେନକୁ ଜଳେଶ୍ୱରରୁ ଚାଲୁ କରାଗଲା। ଏଥିପାଇଁ ବିଭିନ୍ନ ସାମାଜିକ ସଙ୍ଗଠନ ପକ୍ଷରୁ ରେଳରୋକୋ ସହିତ ଧାରଣା ଦିଆଯାଇ ବିରୋଧ କରାଯାଇଥିଲା। ପୂର୍ବରୁ ଭଦ୍ରକ-ଭୁବନେଶ୍ୱର ମେମୋ ଟ୍ରେନକୁ ବାଲେଶ୍ୱରକୁ ସମ୍ପ୍ରସାରଣ କରାଯାଇଥିଲା। ରେଳମନ୍ତ୍ରୀ ଏ ବାବଦରେ ଖୁବଶୀଘ୍ର ବିଚାର କରାଯାଇ ଭଦ୍ରକରୁ ପୁରୀ ମଧ୍ୟରେ ନୂତନ ପାସେଞ୍ଜର ଟ୍ରେନ ପ୍ରଚଳନ କରାଯିବା ସହ ସମସ୍ତ ଷ୍ଟେଶନଗୁଡ଼ିକର ଉନ୍ନତି ହେବ ବୋଲି ପ୍ରତିଶ୍ରୁତି ଦେଇଥିବା ଏମ୍‌ପି କହିଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକ ପୌରପାଳିକା ଏମ୍‌ପି ପ୍ରତିନିଧି ପ୍ରଣୟ କୁମାର ଦାସ ଓ ଜିଲା ପରିଷଦ ସଭ୍ୟ ପ୍ରଦୀପ କୁମାର ମଲ୍ଲିକ ଉପସ୍ଥିତ ଥିଲେ।