ଦିଗପହଣ୍ଡି,୧୦।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ବନ୍ୟା ପ୍ରପୀଡ଼ିତଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ ଦାବିରେ ବିଜୁ ଜନତା ଦଳ(ବିଜେଡି) ସାନଖେମୁଣ୍ଡି ବ୍ଲକ କମିଟି ପକ୍ଷରୁ ପାଟପୁରଠାରେ ସଭା ଓ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟା ନିୟନ୍ତ୍ରଣରେ ସରକାରଙ୍କ ବିଫଳତା ଏବଂ ରିଲିଫ ବଣ୍ଟନରେ ଅନିୟମିତତା ପ୍ରତିବାଦରେ ପାଟପୁର ଗାନ୍ଧୀ ଛକଠାରୁ ସାନଖେମୁଣ୍ଡି ବିଜୁ ଜନତା ଦଳର ନେତୃବୃନ୍ଦ ଏବଂ କର୍ମୀ ଏକ ବିରାଟ ପଟୁଆରରେ ଏକାଠି ହୋଇ ପ୍ରଥମେ ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଓ ପରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଘେରାଉ କରିଥିଲେ।
ଶୋଭାଯାତ୍ରାରେ ଧରାକୋଟ ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ବିଜୁ ଜନତା ଦଳ ରାଜ୍ୟ ପରିଷଦ ସଭ୍ୟ ଶ୍ରମିକ ସାମ୍ମୁଖ୍ୟ ରାଜ୍ୟ ଉପସଭାପତି ଯୋଗେନ୍ଦ୍ର ସ୍ବାଇଁ, ବ୍ଲକ ଅଧ୍ୟକ୍ଷ ସୀମାଞ୍ଚଳ ପାତ୍ରଙ୍କ ସହ ଦଳୀୟ ନେତୃବୃନ୍ଦ ଡବଲ ଇଞ୍ଜିନ ଭାଜପା ସରକାର ଏବଂ ପ୍ରଶାସନିକ ବିଫଳତାକୁ ସମାଲୋଚନା କରିଥିଲେ।
ଜିଲା ପରିଷଦ ସଦସ୍ୟ ତଥା ବିଜେଡି ବ୍ଲକ କମିଟି ସଭାପତି ଅମିନ ପ୍ରଧାନ, ସୁନୀଲ ଗୌଡ଼, ମାଧବ ରାଓ, ସୀମାଞ୍ଚଳ ଗୌଡ଼ ପ୍ରମୁଖଙ୍କ ସହ ବହୁ ସଂଖ୍ୟକ ଦଳୀୟ କାର୍ଯ୍ୟକର୍ତ୍ତା ଘେରାଉରେ ଉପସ୍ଥିତ ଥିଲେ। ପରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ବିଜେଡି ପକ୍ଷରୁ ୧୦ ଦଫା ସମ୍ବଳିତ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା