ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ):ଧାନବିକ୍ରି ପଞ୍ଜୀକରଣ ପ୍ରକିୟାକୁ ଦିନକୁ ଦିନ ଅଧିକ ଜଟିଳ କରି ଦିଆଯାଉଥିବା ଅଭିଯୋଗ ହୋଇଛି। ଚଳିତବର୍ଷ ଧାନବିକ୍ରି ପଞ୍ଜୀକରଣରେ ଏଗ୍ରିଷ୍ଟାକ୍ ଆଇଡ଼ି, ଭାଗଚାଷୀ କ୍ଷେତ୍ର୍ରରେ ଇ-କେୱାଇସି ଆଦି କାଗଜପତ୍ର ଦେବାକୁ କୁହାଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ବିରୋଧ ତେଜି ଉଠି ଥିବାବେଳେ ବୁଧବାର ବରଗଡ଼ ଜିଲାର ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ସଭାପତିମାନେ ଏକାଠି ହୋଇ ଏଗ୍ରିଷ୍ଟାକ୍ ଆଇଡ଼ି ଉଚ୍ଛେଦ ଦାବି କରିଛନ୍ତି। ଏହି ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପାକ୍ସ ସଭାପତି ସଂଘ ସମବାୟ ସମିତି ସମୂହ ଉପ ନିବନ୍ଧକ(ଡିଆରସିଏସ୍) ଯୁଗଳ କିଶୋର ଦାଶଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ଦାବିପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି, ଓଡ଼ିଶା କୃଷିପ୍ରଧାନ ରାଜ୍ୟ ଏବଂ କୃଷି ଅର୍ଥନୀତି ଉପରେ ନିଭରଶୀଳ। ରାଜ୍ୟରେ ବିଶେଷଭାବେ ଧାନଚାଷ କରାଯାଏ ଏବଂ ତାହା ବିକ୍ରିବଟା ପାଇଁ ମଣ୍ଡି ବ୍ୟବସ୍ଥା ମଧ୍ୟ ରହିଛି। ସେହିପରି ଧାନ ସଂଗ୍ରହ ପ୍ରକ୍ରିୟାକୁ ସୂଚାରୁଭାବେ ପରିଚାଳନା କରିବା ନେଇ ଧାନବିକ୍ରି ପଞ୍ଜୀକରଣ ବ୍ୟବସ୍ଥା ରହିଛି। ମାତ୍ର ଚଳିତବର୍ଷ ପଞ୍ଜୀକରଣ ପ୍ରକ୍ରିୟାକୁ ଯେଭଳି ଜଟିଳ କରି ଦିଆଯାଇଛି, ତାହା ଚାଷୀମାନଙ୍କ ପାଇଁ ଅଡୁଆ ସାଜିଛି। ପଞ୍ଜୀକରଣ ସମୟରେ ଏଗ୍ରିଷ୍ଟାକ୍ ଆଇଡ଼ି, ଭାଗଚାଷୀ କ୍ଷେତ୍ର୍ରରେ ଇ-କେୱାଇସି ଆଦି କାଗଜପତ୍ର ଦେବାକୁ କୁହାଯାଉଛି। ସେହିପରି ବିଭିନ୍ନ ସମୟରେ ସର୍ଭର ଡାଉନ୍ ରହୁଥିବାବେଳେ ପଞ୍ଜୀକରଣ ପାଇଁ ପର୍ଯ୍ୟାପ୍ତ ସମୟ ଦିଆଯାଉ ନାହିଁ। ଏଭଳି ସ୍ଥିତିରେ ଅନେକ ଚାଷୀ ପଞ୍ଜୀକୃତ ହୋଇ ପାରିବେ ନାହିଁ ଏବଂ ଧାନବିକ୍ରିରୁ ବଞ୍ଚିତ ହେବେ।
ଫଳରେ ଧାନବିକ୍ରି ପଞ୍ଜୀକରଣରୁ ଏଗ୍ରିଷ୍ଟାକ୍, ଇ-କେୱାଇସିକୁ ହଟାଇ ପଞ୍ଜୀକରଣ ପ୍ରକ୍ରିୟାକୁ ସରଳୀକରଣ କରିବା ପାଇଁ ପାକ୍ସ ସଭାପତି ସଂଘ ଦାବି କରିଛି। ବରଗଡ଼ ଅଗ୍ରଗ୍ରାମୀ ଯୁବକ ସଂଘରେ ସବୁ ପାକ୍ସର ସଭାପତିବୃନ୍ଦ ସମବେତ ହୋଇଥିଲେ ଏବଂ ଏକ ବୈଠକ କରିବା ପରେ ଡିଆର୍ସିଏସ୍ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ପ୍ରଫୁଲ୍ଲ କୁମାର ନାଏକ, ହରିଶଙ୍କର ବେହେରା, ଆଶିଷ କୁମାର ପ୍ରଧାନ, ଗୋବିନ୍ଦ ସାହୁ, ଅଶ୍ୱିନୀ ତ୍ରିପାଠୀ, ରବିଶଙ୍କର ପ୍ରଧାନ, ଗଇଧଲ ରଣା, ବିରୋସେନ ସାହୁ, କେ. ରାମବାବୁ, ହେମନ୍ତ ପଣ୍ଡା ପ୍ରମୁଖ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।