Categories: ଜାତୀୟ

ଗ୍ରୋସରୀ ସାମଗ୍ରୀ ଦେବାକୁ ଆସି ମହିଳାଙ୍କୁ ବଳାତ୍କାର କଲେ ଡେଲିଭରିବୟ

ନୂଆଦିଲ୍ଲୀ,୨୯।୧୦: ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ନୋଏଡ଼ା ପୋଲିସ ଜଣେ ୨୩ ବର୍ଷୀୟ ଜଣେ ଡେଲିଭରିବୟଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ସୁମିତ ସିଂ।

ଅଭିଯୋଗ ମୁତାବକ, ଗ୍ରେଟର ନୋଏଡା ଅଞ୍ଚଳରେ ଏକ ଆପାର୍ଟମେଣ୍ଟରେ ରହୁଥିବା ମହିଳା ଜଣକ ମୋବାଇଲ ଆପ୍‌ ମାଧ୍ୟମରେ ଗ୍ରୋସରୀ ସାମଗ୍ରୀ ଅର୍ଡର କରିଥିଲେ। ଅର୍ଡର ମୁତାବକ, ଗ୍ରୋସରୀ ସାମଗ୍ରୀ ଧରି ସୁମିତ ସିଂ ନାମକ ଜଣେ ଡେଲିଭରିବୟ ମହିଳାଙ୍କ ପାଖକୁ ଆସିଥିଲେ। ହେଲେ ମୁମିତ ମହିଳାଙ୍କୁ ଏକୁଟିଆ ଦେଖି ଘରେ ପଶି ବଳାତ୍କାର କରିଥିଲେ। ପରବର୍ତ୍ତୀ ସମୟରେ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଘଟଣା ଗତ ଶୁକ୍ରବାର ଘଟିଥିଲା। ଏନେଇ ମହିଳା ଜଣକ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ମୁତାବକ, ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଏକ ଟିମ୍‌ ଗଠନ କରିଥିଲା। ପୋଲିସ ଗ୍ରେଟର ନୋଏଡାର ଏକ ଆବାସିକ ଅଞ୍ଚଳରେ ଚଢାଉ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ପହଞ୍ଚିଥିବା ବେଳେ ଅଭିଯୁକ୍ତ ସୁମିତ ଜଣେ କନ୍‌ଷ୍ଟେବଳଙ୍କଠାରୁ ପିସ୍ତଲ ଛଡାଇ ପୋଲିସ ଉପରକୁ ଗୁଳି ଚଳାଇବା ସହ ଫେରାର ହୋଇଯିବାକୁ ଉଦ୍ୟମ କରିଥିଲେ। ହେଲେ ପୋଲିସର ଏନ୍‌କାଉଣ୍ଟରରେ ସୁମିତଙ୍କ ଗୋଡରେ ଗୁଳି ବାଜିଥିଲା। ପରେ ପୋଲିସ ଅଭିଯୁକ୍ତ ସୁମିତଙ୍କୁ ଗିରଫ କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛି। ସେ ଚିକିତ୍ସିତ ହେଉଥିବା ଜଣାପଡିଛି। ଏପରିକି ପୂର୍ବରୁ ଅଭିଯୁକ୍ତ ମୁମିତ ବେଆଇନ ମଦ ବିକ୍ରି ଅଭିଯୋଗରେ ଗିରଫ ହୋଇଥିବା ଜଣାପଡିଛି।

Share