ଦେଶରେ ଓମିକ୍ରନ୍ ସଂକ୍ରମଣ ବୃଦ୍ଧି ପାଇଁ ଦାୟୀ କେନ୍ଦ୍ର ସରକାର: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୪ ।୧: ସାରା ଦେଶରେ ଏବେ ବଢି ଚାଲିଛି କରୋନା ସଂକ୍ରମଣ । ଏହାସହ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ବି ତା’ର ତାଣ୍ଡବ ରଚି ଚାଲିଛି । ଏବେ ସୁଦ୍ଧା ଦେଶରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୨୦୦୦ ଛୁଇଁବାକୁ ଯାଉଥିବା ବେଳେ ଏହା ସାଧାରଣ ଜନତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ରାଜଧାନୀ ଦିଲ୍ଲୀ ଓ ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଇତି ମଧ୍ୟରେ ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ଯେଉଁ ତଥ୍ୟ ଦେଇଛନ୍ତି ତାହା ସମସ୍ତଙ୍କୁ ଚମକାଇ ଦେଇଛି । ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଙ୍ଗଳବାର କହିଛନ୍ତି, ଜିନୋମ ସିକ୍ୟୁଏନସିଂ ପାଇଁ ଯେତିକି ସାମ୍ପଲ ଯାଉଛି ସେଥିମଧ୍ୟରୁ ୮୧ ପ୍ରତିଶତ ଓମିକ୍ରନ୍ ପଜିଟିଭ । ତେବେ ୨ ଦିନ ମଧ୍ୟରେ ଜିନୋମ ସିକ୍ୟୁଏନସିଂ ପାଇଁ ଯାଇଥିବା ୧୮୭ ସାମ୍ପଲ ମଧ୍ୟରୁ ୧୫୨ ଓମିକ୍ରନ୍ ସଂକ୍ରମିତ ।
ଅନ୍ୟପଟେ ଦେଶରେ ଓମିକ୍ରନ ସଂକ୍ରମଣ ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ସେ କହିଛନ୍ତି କେନ୍ଦ୍ର ସରକାର ଯଦି ଉଚିତ ସମୟରେ ବିଦେଶରୁ ଆସୁଥିବା ଓ ବିଦେଶକୁ ଯାଉଥିବା ବିମାନ ସେବାକୁ ବନ୍ଦ କରି ଦେଇଥାଆନ୍ତେ ତେବେ ଆଜି ଓମିକ୍ରନ୍ ସଂକ୍ରମଣ ଏତେଟା ବୃଦ୍ଧି ପାଇ ନ ଥାଆନ୍ତା । ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କେନ୍ଦ୍ର ସରକାରଙ୍କୁ ବହୁବାର ଅନୁରୋଧ କରିଥିଲେ ବି ତାଙ୍କ କଥାକୁ ଗୁରୁତ୍ୱ ଦିଆଯାଇ ନ ଥିଲା । ତେଣୁ ଦେଶରେ ଏବେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ବଢୁଛି ଓ ଆଗକୁ ଆହୁରି ବଢିବ ବୋଲି ସେ କହିଛନ୍ତି ।

Share