Categories: ଜାତୀୟ

ଆମେରିକା ଦୂତାବାସରେ ଲାଗିଲା ଧମକପୂର୍ଣ୍ଣ ପୋଷ୍ଟର: ମାମଲା ରୁଜୁ କରି ପୋଲିସର ତନାଘନା

ନୂଆଦିଲ୍ଲୀ,୨।୪: ଦିଲ୍ଲୀରେ ଅବସ୍ଥିତ ଆମେରିକୀୟ ଦୂତାବାସ କାର୍ଯ୍ୟାଳୟ ବାହାରେ ଲାଗିଥିବା ଫଳକରେ ଏକ ଧମକପୂର୍ଣ୍ଣ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ଉକ୍ତ ପୋଷ୍ଟରରେ ଭାରତକୁ ଆମେରିକା ଧମକ ଦେବା ବନ୍ଦ କରୁ ବୋଲି ଉଲ୍ଲେଖ ରହିଛି। ଏଥିସହ ଭାରତକୁ ଆମେରିକାର ଆବଶ୍ୟକତା ନାହିଁ, ବରଂ ଚାଇନା ବିରୋଧରେ ଆମେରିକାକୁ ଭାରତର ଆବଶ୍ୟକ ରହିଛି। ଆମର ଶୃଙ୍ଖଳିତ ତଥା ସାହସୀ ଭାରତୀୟ ସେନା ପାଇଁ ଆମେ ଗର୍ବିତ ବୋଲି ଉକ୍ତ ପୋଷ୍ଟରରେ ଲେଖାଯାଇଛି। ଖବର ପାଇ ଦିଲ୍ଲୀ ପୋଲିସ ପୋଷ୍ଟରକୁ ଜବତ କରିବା ସହ ଦିଲ୍ଲୀ ପ୍ରିଭେନସନ୍‌ ଅଫ୍‌ ଡିଫେକ୍ସନ ଅଫ୍‌ ପ୍ରୋପର୍ଟି ଆକ୍ଟ ଅନୁଯାୟୀ ଏହି ମାମଲାରେ ଏଫ୍‌ଆଇଆର ରୁଜୁ କରିଛି। ପୋଲିସ ତଦନ୍ତ ପରେ ଶୁକ୍ରବାର ପ୍ରାୟ ରାତି ସାଢ଼େ ୧୦ଟାରେ କିଛି ଅଜଣା ବ୍ୟକ୍ତି ଏହି ପୋଷ୍ଟର ଲଗାଇଥିବା ଜଣାପଡ଼ିଛି। ତେବେ ପୋଷ୍ଟର ଲଗାଇଥିବା ଯୁବକଙ୍କୁ ଧରିବା ନେଇ ପୋଲିସର ଏକ ଟିମ୍‌ ତନାଘନା ଆରମ୍ଭ କରିଛି। ଅନ୍ୟପଟେ ପୋଷ୍ଟର ଘଟଣାର ଗୋଟିଏ ଦିନ ପୂର୍ବରୁ ଆମେରିକାର ଡେପୁଟି ଏନ୍‌ଏସ୍‌ଏସ୍‌ ଦଲିପ ସିଂ ୟୁକ୍ରେନ ଯୁଦ୍ଧକୁ ନେଇ ରୁଷିଆ ପାଇଁ ଭାରତର ଆଭିମୁଖ୍ୟ ଉପରେ ଚେତାବନୀ ଦେଇଥିଲେ। ରୁଷିଆ ଉପରେ ଲାଗୁ କରାଯାଇଥିବା ପ୍ରତିବନ୍ଧକକୁ ଉଲ୍ଲଂଘନ କରୁଥିବା ଦେଶମାନଙ୍କୁ ମଧ୍ୟ ଭୟଙ୍କର ପରିଣାମର ସମ୍ମୁଖୀନ ହେବାକୁ ପଡିବ ବୋଲି ସେ କହିଥିଲେ। ତାଙ୍କର ଏଭଳି ବୟାନ ପରେ ଏହି ବୀବାଦୀୟ ପୋଷ୍ଟର ଘଟଣା ସାମ୍ନାକୁ ଆସିଛି।

Share