Categories: ଜାତୀୟ

କଶ୍ମୀର-ଅରୁଣାଚଳ ପ୍ରଦେଶକୁ ଭାରତରୁ ବିଚ୍ଛିନ୍ନ ଦେଖାଇବାକୁ ନ୍ୟୁଜକ୍ଲିକ୍‌ କରିଥିଲା ଷଡଯନ୍ତ୍ର: ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୫।୧୦: ନ୍ୟୁଜ ପୋର୍ଟାଲ ନ୍ୟୁଜକ୍ଲିକର ପ୍ରତିଷ୍ଠାତା ପ୍ରବୀର ପୁରକାୟସ୍ଥ କଶ୍ମୀର ଓ ଅରୁଣାଚଳ ପ୍ରଦେଶର ବିବାଦୀୟ ଅଞ୍ଚଳକୁ ଭାରତ ଠାରୁ ବିଚ୍ଛିନ୍ନ ଦେଖାଇବାକୁ ଷଡଯନ୍ତ୍ର କରିଥିଲେ। ନ୍ୟୁଜକ୍ଲିକ ବିରୋଧରେ ଏପରି ଗମ୍ଭୀର ଅଭିଯୋଗ ଆଣିଛି ଦିଲ୍ଲୀ ପୋଲିସ।
ଆତଙ୍କବାଦ ବିରୋଧୀ ଆଇନ ଅନୁଯାୟୀ ଦାଖଲ ହୋଇଥିବା ଏକ ମାମଲାରେ ନ୍ୟୁଜକ୍ଲିକ ପୋର୍ଟାଲରେ ଚାଇନାକୁ ସମର୍ଥନ କରିବା ସହ ଚାଇନାର ପ୍ରଚାର ପାଇଁ ଟଙ୍କା ପାଇବା ଅଭିଯୋଗରେ ପୁରକାୟସ୍ଥଙ୍କୁ ଗିରଫ କରାଯାଇଛି।

ରିମାଣ୍ଡ ଆବେଦନରେ ପୋଲିସ କହିଛି, ପୁରକାୟସ୍ଥ, ନେଭିଲ ରୟ ସିଙ୍ଗମ ଏବଂ ଅନ୍ୟ କେତେକ ଚାଇନା କର୍ମଚାରୀ ପରସ୍ପରକୁ ଇମେଲ ପଠାଇଛନ୍ତି। ସେହି ଇମେଲଗୁଡିକର ଯାଞ୍ଚବେଳେ ଜଣାପଡିଛି ଯେ, କଶ୍ମୀର ଓ ଅରୁଣାଚଳ ପ୍ରଦେଶକୁ ବିଚ୍ଛିନ୍ନ ଦେଖେଇବା ପାଇଁ ଏକ ଏଜେଣ୍ଡା ପ୍ରସ୍ତୁତ ହୋଇଛି। ବିଦେଶୀ ପାଣ୍ଠି ସାହାଯ୍ୟରେ ଭାରତରେ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ସେବା ବ୍ୟାହତ କରିବା ଏବଂ କୃଷକଙ୍କ ଆନ୍ଦୋଳନକୁ ବଢାଇବାକୁ ଏହି ଅଭିଯୁକ୍ତମାନେ ଉଦ୍ୟମ କରିଥିଲେ।

ସ୍ବତନ୍ତ୍ର ସେଲର ରିମାଣ୍ଡ କପିରେ କୁହାଯାଇଛି, କରୋନା ମହାମାରୀକୁ ରୋକିବା ପାଇଁ ଭାରତ ସରକାରଙ୍କ ଦ୍ୱାରା କରାଯାଇଥିବା ପ୍ରୟାସକୁ ବଦନାମ କରିବା ପାଇଁ ନ୍ୟୁଜକ୍ଲିକ ଦ୍ୱାରା ଏକ ମିଥ୍ୟା କାହାଣୀ ପ୍ରଚାର କରାଯାଇଛି। ୨୦୧୯ ଲୋକସଭା ନିର୍ବାଚନ ସମୟରେ ନିର୍ବାଚନ ପ୍ରକ୍ରିୟାକୁ ବାଧା ଦେବା ପାଇଁ ପୁରକାୟସ୍ଥ ପିପୁଲ୍ସ ଆଲାଏନ୍ସ ଫର ଡେମୋକ୍ରାସି ଆଣ୍ଡ ସେକ୍ୟୁରିଜିମ ନାମକ ଏକ ଗୋଷ୍ଠୀ ସହିତ ମିଶି ଷଡ଼ଯନ୍ତ୍ର କରିଥିଲେ ବୋଲି ଦିଲ୍ଲୀ ପୋଲିସ କହିଛି।

 

Share