Categories: ଜାତୀୟ

ଏନଡିଏ ବୈଠକରେ ଯୋଗଦେବେ ୩୮ ଦଳ, ବେଙ୍ଗାଲୁରୁରେ ବିରୋଧୀ ଦଳ ବୈଠକର ଦ୍ୱିତୀୟ ଦିନ

ନୂଆଦିଲ୍ଲୀ,୧୮।୭: ବେଙ୍ଗାଲୁରୁ ପରେ ମଙ୍ଗଳବାର ଦିଲ୍ଲୀରେ ଏନଡିଏ ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛି। ଏନଡିଏ ବୈଠକରେ ୩୮ ଦଳ ସାମିଲ ହୋଇପାରନ୍ତି। ଚିରାଗ ପାସଓ୍ବାନ ବି ଔପଚାରିକ ଭାବେ ଏନଡିଏରେ ସାମିଲ ହେବେ। ଅନ୍ୟପକ୍ଷରେ, ୨୬ ବିରୋଧୀ ଦଳର ଦୁଇ ଦିନିଆ ବୈଠକର ଦ୍ୱିତୀୟ ଦିନ ହେଉଛି ଭାଜପା ବିରୋଧରେ ରଣନୀତି ପ୍ରସ୍ତୁତ କରିବା। ବୈଠକ ପରେ ସମସ୍ତ ନେତା ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିବେ।
ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ଜୁଲାଇ ୧୭ରେ ବେଙ୍ଗାଲୁରୁରେ ୨୬ ଟି ବିରୋଧୀ ଦଳର ବୈଠକରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ପ୍ରାୟ ଅଢେଇ ଘଣ୍ଟା ଧରି ଚାଲିଥିବା ଏହି ବୈଠକ ପରେ ସମସ୍ତ ନେତା ରାତ୍ରୀ ଭୋଜନରେ ଯୋଗ ଦେଇଥିଲେ। ବିରୋଧୀ ଏକତା ଉପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି ଯେ ଆମେ ଭାରତର ଲୋକଙ୍କୁ ଏକଛତ୍ରବାଦୀ ଶାସନ, ଲୋକ ବିରୋଧୀ, ଘୃଣା ଏବଂ ଲୁଟ ରାଜନୀତିରୁ ମୁକ୍ତ କରିବାକୁ ଚାହୁଁ।
ଏଥି ସହ ଭାଜପା ମୁଖ୍ୟ ଜେପି ନଡ୍ଡା ମଧ୍ୟ ବିରୋଧୀ ଦଳର ବୈଠକକୁ ଟାର୍ଗେଟ କରିଥିଲେ। ସେ କହିଛନ୍ତି, ବିରୋଧୀ ଦଳ ହେଉଛି ଭାନୁମତିଙ୍କ ପରିବାର। ସେମାନଙ୍କର ନା ନେତା କିମ୍ବା କୌଣସି ନୀତି ନାହିଁ, ସେମାନେ ଏକ ଦୁର୍ନୀତି ଏବଂ ଘୋଟାଲାର ଟୋଲା। ବିରୋଧୀ ଦଳର ବୈଠକରେ ଦିଲ୍ଲୀ ଭାଜପା ଟୁଇଟ କରି କହିଛି ଯେ ‘ଚୋରୋଂ କି ବାରାତ’ ବେଙ୍ଗାଲୁରୁରେ ପହଞ୍ଚିଛି, କିନ୍ତୁ ବର କିଏ ବୋଲି ଭାଜପା ପ୍ରଶ୍ନ କରିଛି।
କଂଗ୍ରେସ ନେତା ଜୟରାମ ରମେଶ ଏନଡିଏ ବୈଠକକୁ ଟାର୍ଗେଟ କରି କହିଛନ୍ତି ଯେ ଏନଡିଏକୁ ପୁନର୍ଜୀବିତ କରିବା ପାଇଁ ଉଦ୍ୟମ ଚାଲିଛି। ୨୬ ବିରୋଧୀ ଦଳ ଏକାଠି ହେବାର ଏହା ହେଉଛି ପ୍ରତ୍ୟକ୍ଷ ପ୍ରଭାବ।

Share